ନୂଆଦିଲ୍ଲୀ: ଆଖିବୁଜିଲା ଏସିଆର ସବୁଠାରୁ ଶତାୟୁ ହାତୀ । ଅଙ୍ଗ ରୋଗରେ ପଡ଼ି ପ୍ରାଣ ହରାଇଲା ଏସିଆର ସବୁଠାରୁ ବୟସ୍କା ହାତୀ । ୧୦୦ ବର୍ଷୀୟା ବତ୍ସଳାର ମୃତ୍ୟୁ ହୋଇଛି । ଦାଦି ମାଆ ନାମରେ ବେଶ ପରିଚିତ ଥିଲା ବତ୍ସଳା । ମଙ୍ଗଳବାର ମଧ୍ୟପ୍ରଦେଶର ପାନ୍ନା ବ୍ୟାଘ୍ର ସଂରକ୍ଷଣରେ ବହୁ ଅଙ୍ଗ ଅକାମୀ ହୋଇ ଯିବାରୁ ଶେଷ ନିଶ୍ୱାସ ତ୍ୟାଗ କରିଛି ବତ୍ସଳା ।
ତେବେ ଅନେକ ଦିନ ଧରି ସେ ରୋଗାକ୍ରାନ୍ତ ଥିଲା ବତ୍ସଳା । କେରଳର ନିଲାମ୍ବୁର ଜଙ୍ଗଲରେ ଜନ୍ମଗ୍ରହଣ କରିଥିବା ଏହି ହାତୀ କାଠ ବ୍ୟବସାୟରେ ଜଣେ କାର୍ଯ୍ୟରତ ହାତୀ ଭାବରେ ଯାତ୍ରା ଆରମ୍ଭ କରିଥିଲ। । ୧୯୭୧ ମସିହାରେ, ମଧ୍ୟପ୍ରଦେଶର ହୋଶଙ୍ଗା ବାଦ, ପରେ ୧୯୯୩ରୁ ପାନ୍ନା ବ୍ୟାଘ୍ର ଅଭୟାରଣ୍ୟରେ ସେ ରହିଆସୁଥିଲା । ସେଠାରେ ବାଘମାନଙ୍କୁ ଟ୍ରାକିଂ କରିବାରେ, ବନ୍ୟପ୍ରାଣୀ ସଂରକ୍ଷଣରେ ତାର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା ।
ଜୀବନ ବ୍ୟାପୀ ଛୁଆ ହାତୀଙ୍କ ଲାଳନ ପାଳନ କରୁଥିଲା ବତ୍ସଳା । ବତ୍ସଳା ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ସାଜିଥିଲା । ସେ ଥିଲା ପାନ୍ନାର ଗର୍ବ ଓ ଗୌରବ । ବତ୍ସଳା ସହ ପାନ୍ନାର କର୍ମଚାରୀଙ୍କର ସ୍ନେହର ସଂପର୍କ ଯୋଡିହୋଇଥିଲା । ତାର ମୃତ୍ୟୁ ବନ୍ୟପ୍ରାଣୀ ଜଗତ ପାଇଁ ଏକ ବଡ କ୍ଷତି ବୋଲି କୁହାଯାଉଥିବା ବେଳେ ବତ୍ସଳାର ମୃତ୍ୟୁ ସହ ବାତ୍ସଲ୍ୟର ମୃତ୍ୟୁ ହୋଇଛି..