ଇସଲାମାବାଦ: ଭାରତୀୟ ସେନାର ଆତଙ୍କବାଦ ବିରୋଧୀ ବିଶାଳ ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ୍ ସିନ୍ଦୂର’ ସମୟରେ ପାକିସ୍ତାନ ସହ ଯେଉଁ ସୀମିତ ଯୁଦ୍ଧ ହୋଇଥିଲା ତାହା ପାକ୍ ସେନାର ଦୟନୀୟ ଅବସ୍ଥାକୁ ପଦାରେ ପକାଇ ଦେଇଛି। ଭାରତଠାରୁ ଶୋଚନୀୟ ଭାବେ ପରାଜିତ ହେବାପରେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ସଫଳତା ଦାବି କରୁଥିବା ପାକିସ୍ତାନ ଏବେ ଏହାର ସେନାମୁଖ୍ୟ ଅସୀମ ମୁନିରଙ୍କୁ ଅଭୂତପୂର୍ବ କ୍ଷମତା ପ୍ରଦାନ କରିଛି। ପାକିସ୍ତାନ ସଂସଦ ଆଜି ଏକ ଐତିହାସିକ ପଦକ୍ଷେପରେ ୨୭ତମ ସାମ୍ବିଧାନିକ ସଂଶୋଧନ ପାସ୍ କରିଛି ଏବଂ ଏହା ଦ୍ବାରା ସେନା ମୁଖ୍ୟ ମୁନିରଙ୍କୁ ସ୍ଥଳସେନା, ନୌସେନା ଓ ବାୟୁସେନାର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଏହି ସଂଶୋଧନ ସୈନ୍ୟ କ୍ଷମତାକୁ କେନ୍ଦ୍ରୀଭୂତ କରିବା ସହ ମୁନିରଙ୍କୁ ପାକିସ୍ତାନର ସର୍ବୋଚ୍ଚ କ୍ଷମତାଶାଳୀ ବ୍ୟକ୍ତି କରିଛି। ଏବେ ତାଙ୍କର କ୍ଷମତା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ କ୍ଷମତାକୁ ମଧ୍ୟ ଅତିକ୍ରମ କରିଯାଇଛି। ପାକିସ୍ତାନର ପରମାଣୁ ନୀତିରେ ମୁନିରଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ବୋଲି କୁହାଯାଇଛି।
ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କଠାରୁ ମଧ୍ୟ ଅଧିକ କ୍ଷମତା
ସମ୍ବିଧାନ ସଂଶୋଧନକୁ ସଂସଦର ମଞ୍ଜୁରି
ସମ୍ବିଧାନ ସଂଶୋଧନକୁ ସଂସଦର ମଞ୍ଜୁରି
ଅନୁଚ୍ଛେଦ ୨୪୩ରେ ସଂଶୋଧନ ଦ୍ୱାରା ତିନି ସେନାର ମୁଖ୍ୟ କମାଣ୍ଡର (ସିଡିଏଫ୍) ପଦକୁ ସ୍ଥାୟୀ କରାଯାଇଛି ଏବଂ ନଭେମ୍ବର ୨୭ ପରେ ଏହି ପଦରେ ଆଉ କୌଣସି ନୂଆ ନିଯୁକ୍ତି ହେବ ନାହିଁ। ପୂର୍ବରୁ ଫିଲ୍ଡ ମାର୍ଶାଲଙ୍କ ମାନ୍ୟତା ପାଇଥିବା ମୁନିର ଏଭଳି ବିରଳ ଓ ଆଜୀବନ କ୍ଷମତା ପାଇବା ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି କରିଛି। ସେ ଜାତୀୟ କମାଣ୍ଡ କର୍ତ୍ତୃପକ୍ଷ (ପରମାଣୁ ଅସ୍ତ୍ର ସମ୍ବନ୍ଧୀୟ) ନିଯୁକ୍ତି ନିୟନ୍ତ୍ରଣ କରିବେ, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶର ଆଉ କୌଣସି ବିଶେଷ ଭୂମିକା ରହିବ ନାହିଁ। ଏହି ପରିବର୍ତ୍ତନ ପାକିସ୍ତାନର ସାମରିକ ପରାଜୟ ପରେ ହୋଇଥିବାରୁ ସବୁ ମହଲରେ ଏହା ବିସ୍ମୟ ସୃଷ୍ଟି କରିଛି। ଏଭଳି ପରିସ୍ଥିତି ପାଇଁ ପାକିସ୍ତାନର ବିଫଳ ଗଣତନ୍ତ୍ର ଦାୟୀ ବୋଲି ଅନେକ ସାମରିକ ବିଶେଷଜ୍ଞ ମତ ରଖିଛନ୍ତି। ବିଶେଷ କରି ୨୦୨୫ ମେ’ରେ ଭାରତର ଅପରେସନ୍ ସିନ୍ଦୂର ଯୋଗୁଁ ପାକିସ୍ତାନୀ ବାୟୁସେନାର ୧୨ଟି ବିମାନ ନଷ୍ଟ ବା କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଏହାପରେ ପାକିସ୍ତାନ ଯୁଦ୍ଧବିରତି ପାଇଁ ଅନୁରୋଧ କରିଥିଲା।
ଏଭଳି ସ୍ଥିତିରେ ପାକିସ୍ତାନ ବୈଶ୍ବିକ ଲଜ୍ଜାରୁ ବର୍ତ୍ତିବା ପାଇଁ ନିଜ ସେନାମୁଖ୍ୟଙ୍କୁ ଏଭଳି ଅପରିସୀମ କ୍ଷମତା ପ୍ରଦାନ କରିଥିବାରୁ ଏହା ଉପରେ ଭାରତର ସତର୍କ ନଜର ରହିଛି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ରାଷ୍ଟ୍ରପତି ଆସିଫ ଅଲୀ ଜର୍ଦାରୀଙ୍କଠାରୁ ବି ମୁନିର ଏବେ ଅଧିକ କ୍ଷମତାଶାଳୀ ହୋଇଥିବାରୁ ପାକିସ୍ତାନ ଆଗକୁ ସଂପୂର୍ଣ୍ଣ ଭାବେ ସେନା ନିୟନ୍ତ୍ରଣରେ ହିଁ ରହିବ ବୋଲି ସ୍ଥିତି ସ୍ପଷ୍ଟ ହେଲାଣି। ତେବେ ଜଣେ ବ୍ୟକ୍ତିଙ୍କୁ ଏଭଳି କ୍ଷମତା ପ୍ରଦାନ ପାକିସ୍ତାନର ନାଗରିକ-ସାମରିକ ସନ୍ତୁଳନକୁ ବିଗାଡ଼ିଦେବା ସହ ଅତି ଦ୍ରୁତ ଗଣତାନ୍ତ୍ରିକ ଅବକ୍ଷୟ ଘଟିବ ବୋଲି ମଧ୍ୟ ଏସିଆ ରଣନୀତି ବ୍ୟାପାର ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/10/fshfhxvb-2025-11-10-02-31-54.jpg)