ରାମପୁର ଆସନ ପାଇଁ ପ୍ରାର୍ଥୀ ବଦଳାଇଲା ସପା, ତଞ୍ଜିନ ଫାତିମା ନୁହନ୍ତି ଆସୀମ ରାଜା ହେଲେ ପ୍ରାର୍ଥୀ

ନୂଆଦିଲ୍ଲୀ: ରାମପୁର ଆସନ ପାଇଁ ପ୍ରାର୍ଥୀ ବଦଳାଇଲା ସମାଜବାଦୀ ପାର୍ଟି(ସପା)। ଆଜମ ଖାନଙ୍କ ଇସ୍ତଫା ପରେ ଜୁନ୍ ୨୩‌ରେ ଏହି ଆସନ ପାଇଁ  ଲୋକସଭା ଉପନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବରୁ, ସପା ଆଜମ ଖାନଙ୍କ ପତ୍ନୀ ତଞ୍ଜିନ ଫାତିମାଙ୍କୁ ଏହି ଆସନ ପ୍ରାର୍ଥୀ କରିବାକୁ ଘୋଷଣା କରିଥିଲା। ହେଲେ ଶେଷ ମୂହୁର୍ତ୍ତରେ ଆସୀମ ରାଜାଙ୍କୁ ରାମପୁରରୁ ପ୍ରାର୍ଥୀ କରିଛି ସପା। ଆଜି ଆଜମ ଖାନ ନିଜେ ଆସୀମ ରାଜାଙ୍କ ନାଁ ଘୋଷଣା କରିଛନ୍ତି।

ଆସୀମ ରାଜା ଆଜାମ ଖାନଙ୍କ ଭଲ ବନ୍ଧୁ ହୋଇଥିବା ସହ ସେ ରାମପୁରରେ ସମାଜବାଦୀ ପାର୍ଟିର ନଗର ଅଧ୍ୟକ୍ଷ ଅଛନ୍ତି। ସପା ପ୍ରାର୍ଥୀ କରିବା ପରେ ଆସୀମ ଆଜି ହିଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ଜୁନ୍ ୨୩ରେ ଉପନିର୍ବାଚନ ହେବାକୁ ଥିବା ବେଳେ ରାମପୁରରୁ ଆସୀମ ରାଜା ଓ ଆଜମଗଡ଼ରୁ ଧର୍ମେନ୍ଦ୍ର ଯାଦବଙ୍କୁ ପ୍ରାର୍ଥୀ କରିଛି ସପା। ୨୩ରେ ନିର୍ବାଚନ ହେବା ସହ ଜୁନ୍ ୨୬ରେ ନିର୍ବାଚନ ଫଳାଫଳ ଆସିବ।

ଉଲ୍ଲେଖଯୋଗ୍ୟ, ୨୦୨୨ ୟୁପି ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଅଖିଳେଶ ଯାଦବ ଆଜମଗଡରୁ ଏବଂ ଆଜାମ ଖାନଙ୍କୁ ରାମପୁର ସଂସଦୀୟ ଆସନରୁ ଇସ୍ତଫା ଦେଇଥିଲେ। ଅଖିଳେଶ ଯାଦବ ମେନପୁରୀର କରହଲ ଆସନରୁ ନିର୍ବାଚିତ ହୋଇଥିବାବେଳେ ଆଜମ ଖାନ ରାମପୁରରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ତେବେ ଆଜମଗଡ ଓ ରାମପୁର ଆସନ ଖାଲି ହେବା ପରେ ଏହି ଦୁଇଟି ଆସନ ପାଇଁ ଜୁନ୍ ୨୩ରେ ଉପନିର୍ବାଚନ ଅନୁଷ୍ଠିତ ହେବ।

ଅନ୍ୟପକ୍ଷରେ ବିଜେପି ପୁଣି ଥରେ ଆଜମଗଡ ଲୋକସଭା ଆସନରୁ ଭୋଜପୁରୀ ଅଭିନେତା ନିରହୁଆଙ୍କୁ ପ୍ରାର୍ଥୀ କରିଛି। ନିରହୁଆ ଏହି ଆସନରୁ ୨୦୧୯ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ସେ ତତ୍କାଳୀନ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କଠାରୁ ହାରିଯାଇଥିଲେ। ନିରହୁଆଙ୍କ ବ୍ୟତୀତ ବିଜେପି ରାମପୁର ଆସନରୁ ଘନଶ୍ୟାମ ଲୋଧୀଙ୍କୁ ପ୍ରାର୍ଥୀ କରିଛି।

ସମ୍ବନ୍ଧିତ ଖବର