ଝିଅ ଛାଡ଼ି ପଳାଇବା ପ୍ରଶ୍ନରେ ରାନୁଙ୍କ ପ୍ରତିକ୍ରିୟା: ଅତୀତକୁ ମନେ ପକାଇବାକୁ ଚାହେନା

ନୂଆଦିଲ୍ଲୀ : ଦିନେ ରେଳ ‌‌ଷ୍ଟେସନ୍‌ରେ ବସି ଗୀତ ଗାଉଥିବା ରାନୁ ମଣ୍ଡଳ କେବେ ବଲିଉଡ୍‌ରେ ଆସି ପହଞ୍ଚିବେ ବୋଲି ସ୍ବପ୍ନରେ ସୁଦ୍ଧା ଭାବିନଥିଲେ। କିନ୍ତୁ ଭାଗ୍ୟ ତାଙ୍କର ସାଥ୍‌ ଦେବାପରେ ୫୮ ବର୍ଷ ବୟସରେ ରାନୁ ଏକ ନୂଆ ଜୀବନ ଜିଉଁଛନ୍ତି। ରାନୁ ମଣ୍ଡଳଙ୍କ ଝିଅ ଏଲିଜାବେଥ ଦୁର୍ଦ୍ଦିନ ସମୟରେ ତାଙ୍କୁ ଛାଡ଼ି ପଳାଇଥିଲେ। ସମ୍ପୂର୍ଣ୍ଣ ଏକାକୀ ଜୀବନ ଜିଉଁଥିବା ରାନୁ ବଲିଉଡ୍‌ରେ ଗୀତ ଗାଇବାର ସୁଯୋଗ ପାଇବା‌ ଏବଂ ସୋସିଆଲ ମିଡିଆରେ ଚର୍ଚ୍ଚାର ପରିସରକୁ ଆସିବାପ‌ରେ ତାଙ୍କ ଝିଅ ଏବେ ପୁଣି ତାଙ୍କ ପାଖକୁ ଫେରିଆସିଛନ୍ତି। ଏବେ ଚର୍ଚ୍ଚା ହେଉଛି ‌ଯେ ରାନୁ ମଣ୍ଡଳ ତାଙ୍କ ଝିଅ ଦ୍ବାରା ଦିନେ ପରିତ୍ୟକ୍ତ ଥିଲେ। ଏବେ ତାଙ୍କୁ ସମ୍ମାନ ଏବଂ ପ୍ରଶଂସା ମିଳିବାପରେ ତାଙ୍କ ଝିଅ ପୁଣି ତାଙ୍କ ପାଖକୁ ଫେରିଆସିଛନ୍ତି। ରାନୁ ମଣ୍ଡଳକୁ ମଧ୍ୟ ଏନେଇ କିଛି ପ୍ରଶ୍ନ ସାମ୍ନା କରିବାକୁ ପଡ଼ିଛି। ଏକ ସାକ୍ଷାତକାର ଦେବା ସମୟ‌ରେ ରାନୁ ତାଙ୍କ ଝିଅଙ୍କ ଦ୍ବାରା ପରିତ୍ୟକ୍ତ ବୋଲି ଏକ ପ୍ରଶ୍ନ କରାଯାଇଥିବା ବେଳେ ରାନୁ ଏଥିରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ‌‌ସେ ଅତୀତରେ ଆଦୌ ଘାଣ୍ଟି ହେବାକୁ ଚାହାନ୍ତି ନାହିଁ। ଭଗବାନ ଚାହିଲେ ଆମେମାନେ ସମସ୍ତେ ଦିନେ ଏକାଠି ହୋଇପାରିବୁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ପୂର୍ବରୁ ରାନୁଙ୍କ ଝିଅ ଏଲିଜାବେଥ କହିଥିଲେ ଯେ, ତାଙ୍କ ମା’ଙ୍କ ମ୍ୟାନେଜର ତାଙ୍କୁ ନିଜ ନିୟନ୍ତ୍ରଣରେ ରଖୁଛନ୍ତି। କିନ୍ତୁ ରାନୁ କହିଥିଲେ, ଏଥିରେ କିଛି ଭୁଲ୍‌ ବୁଝାମଣା ରହିଛି। କେହି ନିଶ୍ଚିତ ତାଙ୍କ ଝିଅକୁ ଏମିତି କହିବାପାଇଁ ମତାଇଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର