କୋଭିଡ୍‌ ଟେଷ୍ଟିଂ ନୀତିକୁ ନେଇ ପ୍ରଶ୍ନ କରିବାରୁ, ପୂର୍ବତନ ୟୁପି ଆଇଏଏସ୍‌ ଅଫିସରଙ୍କ ବିରୋଧରେ ମାମଲା ରୁଜୁ

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶର ଜଣେ ପୂର୍ବତନ ଆଇଏଏସ୍‌ ଅଫିସର ରାଜ୍ୟ ସରକାରଙ୍କ ଟେଷ୍ଟିଂ ନୀତିକୁ ନେଇ ପ୍ରଶ୍ନ କରିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୂର୍ବ ଆଇଏଏସ୍‌ ଅଫିସର ସୂର୍ଯ୍ୟ ପ୍ରତାପ ସିଂହ ଏକ ଟ୍ବିଟ୍‌ କରି ଅଭିଯୋଗ କରିଛନ୍ତି ଯେ, ଶୀର୍ଷ ଉତ୍ତରପ୍ରଦେଶ ସରକାରୀ ଅଧିକାରୀମାନେ ବିଭିନ୍ନ ଜିଲ୍ଲାରେ ଫିଲ୍ଡ ଅଫିସରମାନଙ୍କୁ କମ୍‌ ‌ନମୁନା ପରୀକ୍ଷା କରିବାକୁ କହୁଛନ୍ତି। ମୁଖ୍ୟମନ୍ତ୍ରୀ ‌‌ଯୋଗୀଙ୍କ ଟିମ୍‌-୧୧ ବୈଠକ ପରେ ମୁଖ୍ୟ ସଚିବ କିଛି ଜିଲ୍ଲାପାଳଙ୍କୁ ଅଧିକ କରୋନା ଟେଷ୍ଟ୍‌ ପାଇଁ ତାଗିଦ କରିଛନ୍ତି। ଅଧିକ ଟେଷ୍ଟ୍‌ କଲେ କ’ଣ ପୁରସ୍କାର ମିଳିବ କହି ବିଭିନ୍ନ ଜିଲ୍ଲାପାଳଙ୍କୁ ମୁଖ୍ୟ ସଚିବ ଗାଳି ଦେଇଛନ୍ତି।‌ ତେବେ ନୋ ଟେଷ୍ଟ୍‌- ନୋ କ‌ରୋନା କ’ଣ ଉତ୍ତରପ୍ରଦେଶର ରଣନୀତି ?

ମୁଖ୍ୟ ସଚିବ ଏନେଇ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସିଂହ ଟ୍ବିଟ୍‌ ମାଧ୍ୟମରେ କହିଥିଲେ। ତେଣୁ ଏନେଇ ତାଙ୍କ ବିରୋଧରେ ଲକ୍ଷ୍ନୌର ହଜରତଗଂଜ ଥାନାରେ ଏଫ୍‌ଆଇଆର ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ ସୂର୍ଯ୍ୟ ପ୍ରତାପ ସିଂହ ଜଣେ ୧୯୮୨ ବ୍ୟାଚ୍‌ ଆଇଏଏସ୍‌ ଅଫିସର। ଅବସର ସମୟ ପୂର୍ବରୁ ସେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ‌ତେବେ ତାଙ୍କ ବିରୋଧରେ ଏଫ୍‌ଆଇ ରୁଜୁ ନେଇ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି , ମୁଖ୍ୟମନ୍ତ୍ରୀ ଯୋଗୀ ମୋ ବିରୋଧରେ ପ୍ରତି‌ଶୋଧ ନେବାପାଇଁ ଏକ ଟ୍ବିଟ୍‌କୁ ବ୍ୟବହାର କରିବା କିଛି ଆବଶ୍ୟକ ନାହିଁ। ସେ ସିଧାସଳଖ ମୋ ବିରୋଧରେ ମାମଲା ରୁଜୁ କରିପାରିବେ ବୋଲି ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର