ହ୍ୱାଟ୍ସଆପ୍ ଜରିଆରେ ପଢ଼ା ଚାଲୁ କରିବାକୁ ସ୍କୁଲମାନଙ୍କୁ କହିଲେ ଆସାମ ସରକାର

ଗୌହାଟି: ହ୍ୱଟ୍ସଆପ୍ ଜରିଆରେ ପଢ଼ା ଚାଲୁ କରିବାକୁ ଶନିବାର ଦିନ ଆସାମ ସରକାର ସ୍କୁଲମାନଙ୍କୁ ନିର୍ଦେଶ ଦେଇଛନ୍ତି । କରୋନାଭାଇରସ୍ ସଂକ୍ରମଣ ଆଶଙ୍କାରେ ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିଥିବାରୁ ପାଠ ପଢ଼ାରେ ଉପୁଜି ଥିବା ବାଧାକୁ କିଛି ମାତ୍ରାରେ ଦୂର କରିବା ଲାଗି ଛାତ୍ରଛାତ୍ରୀମାନଙ୍କୁ ହ୍ୱାଟ୍ସ୍ଆପ୍ ଜରିଆରେ କୋର୍ସ ମ୍ୟାଟେରିଆଲ ଏବଂ ହୋମୱାର୍କ ଦେବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି ।

ଏଥିପାଇଁ ହ୍ୱଟ୍ସ୍ଆପ୍ ଗ୍ରୁପ୍ କରିବାକୁ ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନଙ୍କୁ କହିବା ନିମନ୍ତେ ଶିକ୍ଷା ବିଭାଗ ସ୍କୁଲମାନଙ୍କୁ ନିର୍ଦେଶ ଦେଇଛି ବୋଲି ଜଣେ ସରକାରୀ କର୍ମଚାରୀ କହିଛନ୍ତି ।

Image Source: India Today

ଏହାଛଡ଼ା ପାଠ୍ୟଖସଡ଼ା ଆଧାରିତ ବିଷୟରେ କ୍ଷୁଦ୍ର ଭିଡିଓ ସବୁ କରି ସେଗୁଡ଼ିକୁ ହ୍ୱାଟ୍ସ୍ଆପ୍ ଗ୍ରୁପରେ ଅପଲୋଡ୍ କରିବାକୁ ମଧ୍ୟ ଶିକ୍ଷା ବିଭାଗ ଶିକ୍ଷକମାନଙ୍କୁ କହିଛି । ପିଲାମାନଙ୍କ ଘରକୁ ଯିବା ସହ ସକାଳ ୭ଟାରୁ ୯ଟା ଏବଂ ସନ୍ଧ୍ୟା ୭ଟାରୁ ୯ଟା ଯାଏଁ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଫୋନ୍ କିଂବା ହ୍ୱାଟସ୍ଆପ୍ ଯୋଗେ ପାଠ ପଢ଼ାରେ ସହଯୋଗ କରିବାକୁ ଶିକ୍ଷା ବିଭାଗ ପରାମର୍ଶ ଦେଇଛି । ଏହାଛଡ଼ା ଭବିଷ୍ୟତରେ ସ୍କୁଲ୍ ସବୁ ଗୁଗଲ୍ କ୍ଲାସରୁମ୍ ଭଳି ଟେକ୍ନୋଲଜି ବ୍ୟବହାର କରିବାକୁ କୁହାଯାଇଛି ।

କରୋନାଭାଇରସ୍ ସଂକ୍ରମଣ ଆଶଙ୍କାରେ ମାର୍ଚ ୩୧ ତାରିଖ ଯାଏଁ ଆସାମ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସରକାର ଆଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର