ନାଗାଲାଣ୍ଡ ସହ ସୀମା ବିବାଦ ତୁଟାଇଲା ଆସାମ

ଗୁଆହାଟୀ: ଉତ୍ତର-ପୂର୍ବ ରାଜ୍ୟ ଆସାମ ଓ ନାଗାଲାଣ୍ଡ ମଧ୍ୟରେ ତିକ୍ତତା ଦୂର କରିବା ପାଇଁ ସୀମାବର୍ତ୍ତୀ ସ୍ଥାନରୁ ତୁରନ୍ତ ସୁରକ୍ଷା ବଳ ପ୍ରତ୍ୟାହାର କରିବାକୁ ଦୁଇ ରାଜ୍ୟ ଏକ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଶାନ୍ତି ଫେରାଇ ଆଣିବାକୁ କରିଥିବା ଉଦ୍ୟମ ପାଇଁ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫିଉ ରିଓଙ୍କୁ ଶ୍ରେୟ ଦେବା ସହ ଏହି ଐତିହାସିକ ପଦକ୍ଷେପ ପାଇଁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆସାମ-ନାଗାଲାଣ୍ଡ ସୀମାରେ ଉତ୍ତେଜନା ଦୂର କରିବା ପାଇଁ ସୀମାନ୍ତରୁ ତୁରନ୍ତ ସୁରକ୍ଷା ବଳ ପ୍ରତ୍ୟାହାର ଲାଗି ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଏକ ବୁଝାମଣାରେ ପହଞ୍ଚିଥିଲେ ବୋଲି ଶର୍ମା ଶନିବାର ଟୁଇଟ୍ କରି ଜଣାଇଛନ୍ତି।

ଇତିମଧ୍ୟରେ ଆସାମ ଏହାର ଅନ୍ୟ ପଡ଼ୋଶୀ ରାଜ୍ୟ ମିଜୋରାମ ସହିତ ବହୁ ଦଶନ୍ଧି ପୁରୁଣା ସୀମା ବିବାଦରେ ମଧ୍ୟ ଜଡିତ ଅଛି। ଆସାମର କାଚର ଏବଂ ମିଜୋରାମର କୋଲାସିବ ଜିଲ୍ଲା ସୀମାରେ ଉଭୟ ରାଜ୍ୟ ପରସ୍ପରର ଜମି ଜବରଦଖଲ କରିଥିବା ଦାବି କରିଛନ୍ତି। ଜୁଲାଇ ୨୬ରେ ଉଭୟ ପକ୍ଷ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା ଏବଂ ଆସାମ-ମିଜୋରାମ ସୀମାରେ, ସଂଘର୍ଷ ସ୍ଥଳରେ ଏବଂ ଆଖପାଖରେ ପରିସ୍ଥିତି ଏବେ ବି ଉତ୍ତେଜନାମୟ ରହିଛି। ହିଂସାକାଣ୍ଡ ଘଟଣାରେ ଶର୍ମା, ରାଜ୍ୟ ପୋଲିସର ଚାରିଜଣ ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ଦୁଇଜଣ ଅଧିକାରୀଙ୍କ ବିରୋଧରେ ଆପରାଧିକ ମାମଲା ଦାୟର କରାଯାଇଛି।

ଶର୍ମା ଆଶ୍ୱାସନା ଦେଇ କହିଛନ୍ତି ଯେ, ଆସାମ ଏହାର ସମସ୍ତ ସୀମାରେ ଶାନ୍ତି ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଉତ୍ତର ପୂର୍ବ ଅଞ୍ଚଳର ସାମାଜିକ ତଥା ଅର୍ଥନୈତିକ ସମୃଦ୍ଧି ପାଇଁ ଚେଷ୍ଟା କରୁଛି। ଆସାମ ଓ ନାଗାଲାଣ୍ଡର ମୁଖ୍ୟ ସଚିବମାନଙ୍କ ମଧ୍ୟରେ ଦେସୋଇ ଭାଲି ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ଅଚଳାବସ୍ଥାର ସମାଧାନ ପାଇଁ ଜୁଲାଇ ୩୧ରେ ଆୟୋଜିତ ଭର୍ଚୁଆଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର