ବିବାଦରେ ଆସାମ ମୁଖ୍ୟମନ୍ତ୍ରୀ, ଜାଗି ବାସୁଦେବ; କାଜିରଙ୍ଗା ଜାତୀୟ ଉଦ୍ୟାନରେ ନାଇଟ୍‌ ସଫାରି

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏବଂ ଧାର୍ମିକ ନେତା ସଦ୍‌ଗୁରୁ ଜାଗି ବାସୁଦେବ କାଜିରଙ୍ଗା ଜାତୀୟ ଉଦ୍ୟାନରେ ନାଇଟ୍‌ ସଫାରି କରି ବଡ଼ ଅଡ଼ୁଆରେ ପଡ଼ି ଯାଇଛନ୍ତି। ରାତିରେ ଜଙ୍ଗଲ୍‌ ସଫାରି କରି ମୁଖ୍ୟମନ୍ତ୍ରୀ ଏବଂ ସଦ୍‌ଗୁରୁ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ , ୧୯୭୨ର ଉଲ୍ଲଂଘନ କରିଛନ୍ତି। ଏହି ଘଟଣାକୁ ବିରୋଧ କରି ୨ ଜଣ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଆସାମ ମୁଖ୍ୟମନ୍ତ୍ରୀ ଏବଂ ସଦ୍‌ଗୁରୁଙ୍କ ବିରୋଧରେ ଗୋଲାଘାଟ ଜିଲ୍ଲାର ବୋକାଖାଟ ଥାନାରେ ମାମଲା ରୁଜୁ କରିଛନ୍ତି। ଆସାମର ପର୍ଯ୍ୟଟନ ମନ୍ତ୍ରୀ ଜୟନ୍ତ ମଲ୍ଲଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଛି। ଉଭୟ ମୁଖ୍ୟମନ୍ତ୍ରୀ ଏବଂ ସଦ୍‌ଗୁରୁ ଏହି ଘଟଣା ପାଇଁ ଜନସାଧାରଣଙ୍କୁ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଗତ ସେପ୍ଟେମ୍ବର ୨୪ରେ ସେମାନେ ଜଙ୍ଗଲ ସଫାରି କରିଥିଲେ। ଏନେଇ ସୋ‌ସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ଜାରି ହୋଇଛି। ଭିଡିଓରେ‌ ଦେଖିବାକୁ ମିଳିଛି ସଦ୍‌ଗୁରୁ ଓପନ୍‌ ସଫାରି ଏସ୍‌ୟୁଭି ଚଲାଉଛନ୍ତି ଏବଂ ଶର୍ମା ଓ ଜୟନ୍ତ ମଲ୍ଲ ବସିଛନ୍ତି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଛନ୍ତି, ସଦ୍‌ଗୁରୁ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ବନ ବିଭାଗ ଦ୍ବାରା ନିମନ୍ତ୍ରଣ କରାଯାଇଛି । ସୋସିଆଲ ମିଡିଆରେ ଲୋକ ସଦ୍‌ଗୁରୁଙ୍କୁ ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର