ଆସାମରେ ପ୍ରବଳ ହିଂସା, ବିମାନବନ୍ଦରରେ ଅଟକିଲେ ମୁଖ୍ୟମନ୍ତ୍ରୀ ସୋନଓ୍ଵାଲ୍‌

ଗୁଆହାଟୀ : ନାଗରିକତା (ସଂଶୋଧନ) ବିଲ୍‌-୨୦୧୯କୁ ନେଇ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଗତ କିଛି ଦିନ ଧରି ଚାଲିଥିବା ବିରୋଧ ହିଂସାତ୍ମକ ରୂପ ନେଇଛି । ଏହାକୁ ଦୃଷ୍ଟିରେ ରଖି ଆସାମ, ତ୍ରିପୁରାରେ ସେନା ମୁତୟନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ପ୍ରାୟ ୫ ହଜାର ଜବାନଙ୍କୁ ମୁତୟନ କରାଯାଇଛି ।

ବିକ୍ଷୋଭକାରୀମାନେ ଆସାମର ରାଜଧାନୀ ଗୁଆହାଟୀରେ ଥିବା ଏୟାରପୋର୍ଟକୁ ଯାଉଥିବା ରାସ୍ତା ବନ୍ଦ କରିଦେଇଛନ୍ତି । ଏହାଫଳରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ଵାଲ ସେଠାରେ କିଛି ସମୟପାଇଁ ଫସିରହିଥିଲେ । ସେ ତେଜପୁରରୁ ସେ ଗୁଆହାଟୀ ଫେରୁଥିଲେ । ଖବର ପାଇ ସୁରକ୍ଷା ବାହିନୀ ପହଞ୍ଚିବା ସହ ତାଙ୍କୁ ସେଠାରୁ ନେଇଯାଇଥିଲେ ।

ନାଗରିକତା (ସଂଶୋଧନ) ବିଲ୍‌-୨୦୧୯ ଆଇନରେ ପରିଣତ ହେଲେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ବାଂଲାଦେଶୀ ଶରଣାର୍ଥୀମାନଙ୍କୁ ଥଇଥାନ କରାଯିବ । ଏହା ସ୍ଥାନୀୟ ଲୋକଙ୍କ ଜୀବନଜୀବିକାକୁ ପ୍ରଭାବିତ କରିବ ବୋଲି ଉତ୍ତର-ପୂର୍ବାଞ୍ଚଳ ଲୋକମାନେ ମନେକରୁଛନ୍ତି । ଏହାକୁ ନେଇ ପ୍ରବଳ ବିରୋଧ କରାଯାଉଛି । ବିଶେଷକରି ଛାତ୍ରଛାତ୍ରୀମାନେ ଏହାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି । ନାଗରିକତା (ସଂଶୋଧନ) ବିଲ୍‌-୨୦୧୯ ରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ,ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର