ଆସାମ ହିଂସା : ପୁଲିସ ଲାଠିମାଡ଼ରେ ଯୁବକ ମୃତ, ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଲା

ଗୌହାଟୀ : ନାଗରିକତା (ସଂଶୋଧନ) ବିଲ୍‌-୨୦୧୯ ପ୍ରତିବାଦରେ ଆସାମରେ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯିବାପରି ମନେ ହେଉଛି । ବ୍ୟାପକ ସେନା ମୁତୟନ ସତ୍ତ୍ୱେ ହିଂସା କମିବାର ନାଁ ଧରୁନାହିଁ । ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ପୁଲିସପକ୍ଷରୁ ଲାଠିଚାର୍ଜ, ଗୁଳିମାଡ଼ କରାଯାଉଥିଲେ ମଧ୍ୟ ତାହାକୁ ଲୋକମାନେ ଖାତିର କରୁନାହାନ୍ତି । ଗୁରୁବାରଦିନ ଆସାମର ଦିବ୍ରୁଗଡ଼ରେ ପୁଲିସ ଦ୍ୱାରା କରାଯାଇଥିବା ଲାଠିଚାର୍ଜ ବେଳେ ଆହତ ହୋଇଥିବା ବିଜେନ୍ଦ୍ର ପାନଜିମ ନାମକ ୩୦ ବର୍ଷୀୟ ଯୁବକ ଆଜି ମୃତ୍ୟୁବରଣ କରିଛି । ଏହା ଫଳରେ ଚଳିତ ହିଂସାରେ ମୃତ୍ୟୁସଂଖ୍ୟା ସରକାରୀଭାବେ ୩ରେ ପହଞ୍ଚିଛି । ଗତକାଲି ପୁଲିସ ଗୁଳିରେ ୨ ଜଣ ଯୁବକ ପ୍ରାଣ ହରାଇଥିଲେ । ଦିବ୍ରୁଗଡ଼ରେ ଆଜି ଅପରାହ୍ଣ ୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲେ ମଧ୍ୟ ଉକ୍ତ ଯୁବକର ମୃତ୍ୟୁ ପରେ ପୁଣି କର୍ଫ୍ୟୁ ଲାଗୁ କରାଯାଇଛି ।

ନାଗରିକତା (ସଂଶୋଧନ) ବିଲ୍‌-୨୦୧୯କୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଂଜୁରୀ ଦେଇଛନ୍ତି । ଫଳରେ ଏହା ଆଇନରେ ପରିଣତ ହୋଇଛି । ଏଥିରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ,ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର