ସିଲଚର: ଚଳିତ ବର୍ଷ ମୌସୁମୀର ଶୀଘ୍ର ଆଗମନ ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ଆସାମ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ବୁଲେଟିନ୍ ଅନୁଯାୟୀ, ଦେଶର ୧୮ଟି ‘ଭୀଷଣ ବନ୍ୟାପ୍ରବଣ’ ଅଞ୍ଚଳ ମଧ୍ୟରୁ ୧୬ଟି ଆସାମରେ ରହିଛି ଏବଂ ବ୍ରହ୍ମପୁତ୍ର, ବରାକ, କୋପିଲି ଭଳି ପ୍ରମୁଖ ନଦୀରେ ବନ୍ୟାଜଳ ଉଛୁଳୁଥିବାରୁ ଉତ୍ତର-ପୂର୍ବ ରାଜ୍ୟର ୧୮ଟି ଜିଲ୍ଲା ଭୟଙ୍କର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସ୍‌ଡିଏମ୍‌ଏ)ର ତଥ୍ୟ ଅନୁଯାୟୀ, ଶନିବାର ସୁଦ୍ଧା ୩୦ଟି ଜିଲ୍ଲାର ୨୪ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ୫୨ ଜଣଙ୍କର ମୃତ୍ୟୁ ଘଟିଛି। ଆସାମର ୭,୭୫,୦୦୦ ଲୋକ ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ଧୁବ୍ରି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଏସ୍‌ଡିଏମ୍‌ଏ ତଥ୍ୟ ଅନୁଯାୟୀ ଜିଲ୍ଲାରେ ୧,୪୦,୦୦୦ରୁ ଅଧିକ ଲୋକ ବିସ୍ଥାପିତ ହୋଇଥିବା ବେଳେ ୩,୬୨୭ ଜଣ ରିଲିଫ ଶିବିରରେ ଆଶ୍ରୟ ନେଇଛନ୍ତି। ୧,୦୦,୦୦୦ରୁ ଅଧିକ ଜନସଂଖ୍ୟା ପ୍ରଭାବିତ ହୋଇଥିବା ଅନ୍ୟ ପ୍ରମୁଖ ଜିଲ୍ଲାଗୁଡ଼ିକ ହେଲା ଦରାଙ୍ଗ (୧,୮୬,୧୦୮), କାଚର (୧,୭୫,୨୩୧), ବରପେଟା (୧,୩୯,୩୯୯), ମୋରିଗାଓଁ (୧,୪୬,୦୪୫) ଓ ନଲବାରୀ (୧୦୫,୩୭୨)। ଭାରତୀୟ ପାଣିପାଗ ବିଭାଗର ଶୁକ୍ରବାର ରିପୋର୍ଟ ଅନୁଯାୟୀ ଆସାମରେ ସ୍ୱାଭାବିକଠାରୁ ୮୫% ଅଧିକ ବର୍ଷା ହୋଇଛି।

Advertisment

ଗତ କିଛି ଦିନ ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ୧୨୨ଟି ରାଜସ୍ୱ ସର୍କଲର ୩୫୦୦ ଗାଁ ପ୍ରଭାବିତ ହୋଇଥିବା ବେଳେ ୬୩,୪୯୦ ହେକ୍ଟରରୁ ଅଧିକ ଚାଷ ଜମି ଜଳମଗ୍ନ ହୋଇଛି। ବନ୍ୟା ପରିସ୍ଥିତିରେ ପଶୁଙ୍କ ଜୀବନ ମଧ୍ୟ ପ୍ରଭାବିତ ହୋଇଛି ଏବଂ ୧.୫ ନିୟୁତରୁ ଅଧିକ ଗୃହପାଳିତ ପଶୁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବ୍ରହ୍ମପୁତ୍ର ନଦୀର ପ୍ରବାହ ଯୋଗୁଁ କାଜିରଙ୍ଗା ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ଅଭୟାରଣ୍ୟର ଏକ ବଡ଼ ଅଂଶ ଶୁକ୍ରବାର ସୁଦ୍ଧା ଜଳମଗ୍ନ ହୋଇଥିବା ବେଳେ ୭୭ଟି ବନ୍ୟପ୍ରାଣୀଙ୍କ ମୃତ୍ୟୁ ଘଟିଛି ବୋଲି ଉଦ୍ୟାନର ନିର୍ଦ୍ଦେଶକ ସୋନାଲି ଘୋଷ କହିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷାରେ ଏକାଧିକ ଭୂସ୍ଖଳନ ଯୋଗୁଁ ଯୋଗାଯୋଗ ବାଧାପ୍ରାପ୍ତ ହେବା ସହ ୬୦,୦୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ମଣିପୁରରେ ଗତ ୧୨ ଘଣ୍ଟା ମଧ୍ୟରେ କମ୍ ବର୍ଷା ଯୋଗୁଁ ସମସ୍ତ ପ୍ରମୁଖ ନଦୀର ଜଳସ୍ତର ହ୍ରାସ ପାଇଥିବାରୁ ଶନିବାର ବନ୍ୟା ସ୍ଥିତିରେ ସୁଧାର ଆସିଛି। ଆଇଏମ୍‌ଡି ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି। ଆଇଏମ୍‌ଡିର ଶୁକ୍ରବାର ରିପୋର୍ଟ ଅନୁଯାୟୀ ଆସାମରେ ସ୍ୱାଭାବିକଠାରୁ ୮୫% ଅଧିକ ବର୍ଷା ହୋଇଛି। ଅରୁଣାଚଳ ପ୍ରଦେଶରେ ୧୩୩%, ମଣିପୁରରେ ୧୪% ଏବଂ ନାଗାଲାଣ୍ଡରେ ୨୮% ଅଧିକ ବର୍ଷା ହୋଇଛି।