ନୂଆଦିଲ୍ଲୀ : ସୀମା ବିବାଦ କାରଣରୁ ମିଜୋରାମକୁ ଯାତ୍ରା ନକରିବା ପାଇଁ ଆସାମ ସରକାର ରାଜ୍ୟବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୀମାରେ ହିଂସା ଜାରି ରହିଥିବାରୁ କିଛିଦିନ ପାଇଁ ମିଜୋରାମ ଯାତ୍ରା ଉପରେ ରୋକ ଲଗାଯାଇଛି। ଏଥିପାଇଁ ସରକାର ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରତ ଇତିହାସରେ ସବୁଠାରୁ ଲଜ୍ଜାଜନକ ଘଟଣା ବୋଲି କହିଛି କଂଗ୍ରେସ। କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୁର୍ଯେୱାଲା କହିଛନ୍ତି, ଦେଶର ନାଗରିକ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇପାରୁ ନଥିବାବେଳେ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀ ସେମାନଙ୍କ ପଦ ତ୍ୟାଗ କରିବା ଉଚିତ।
ଆସାମ-ମିଜୋରାମ ସୀମା ବିବାଦ କାରଣରୁ ହିଂସା ଲାଗି ରହିଛି। ସେଥିପାଇଁ ଆସାମ ସରକାର ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରି କୌଣସି ପରିସ୍ଥିତିରେ ମିଜୋରାମ ଯାତ୍ରା ନ କରିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ଯେଉଁମାନେ କାମ ଅନ୍ବେଷଣରେ ମିଜୋରାମ ଯାଇଛନ୍ତି ନିରାପତ୍ତା ଦୃଷ୍ଟିରୁ ସେମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ମିଜୋରାମରୁ ଆସୁଥିବା ସମସ୍ତ ଯାନବାହନକୁ ତନ୍ନତନ୍ନ କରି ଯାଞ୍ଚ କରିବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସାମ-ମିଜୋରାମ ସୀମାରେ ଅଧିକ ସିଆର୍ପିଏଫ୍ ଯବାନ ମୁତୟନ କରାଯିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଚେକ୍ପୋଷ୍ଟରେ ମାଲବାହୀ ଗାଡ଼ିଗୁଡ଼ିକରେ ଆସୁଥିବା ସାମଗ୍ରୀଗୁଡ଼ିକୁ ପୁଲିସ ଚେକିଂ କରୁଛି।
ସୂଚନାଯୋଗ୍ୟ, ଆସାମ-ମିଜୋରାମ ସୀମା ବିବାଦ ସୋମବାର ଦିନ ଉଗ୍ର ରୂପ ନେଇଥିଲା। ଫଳସ୍ବରୂପ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏଥିରେ ୬ ଜଣ ଆସାମ ପୁଲିସ ଓ ଜଣେ ଅର୍ଦ୍ଧ ସାମରିକ ଯବାନ ପ୍ରାଣ ହରାଇଥିଲେ। ଏହି ଘଟଣାରେ ୫୦ରୁ ଅଧିକ ଆହତ ହୋଇଥିଲେ। ଘଟଣା ପରେ ସେଠାରେ ୬ କମ୍ପାନି ସିଆର୍ପିଏଫ୍ ମୁତୟନ କରାଯାଇଥିଲା। ପରିସ୍ଥିତି ଉଦ୍ବେଗଜନକ ଥିବାରୁ କେନ୍ଦ୍ର ଅଧିକ ସିଆର୍ପିଏଫ୍ ଫଠାଉଛି।