ଗୌହାଟୀ: ଆରମ୍ଭ ହୋଇଯାଇଛି ବିବାହ ଋତୁ | ଏଥିପାଇଁ କନ୍ୟା ଘର ପକ୍ଷରୁ ଝିଅ ପାଇଁ ସୁନା ଗହଣା କିଣିବା ପାଇଁ ବିଭିନ୍ନ ଅଳଙ୍କାର ଦୋକାନରେ ଗହଳି ଲାଗିବା ମଧ୍ୟ ଆରମ୍ଭ ହେଲାଣି | ତେବେ ଏବେ ଆସାମ ସରକାର ସବୁ ଝିଅଙ୍କୁ ସୁନା ଅଳଙ୍କାର ଦେବା ନେଇ ଯୋଜନା ଆରମ୍ଭ କରିଛନ୍ତି | ଅରୁନ୍ଧତୀ ସ୍ବର୍ଣ୍ଣ ଯୋଜନା ନାମରେ ଏଭଳି ଏକ ପ୍ରୟାସ ଆରମ୍ଭ କରିଛନ୍ତି ଆସାମର ରାଜ୍ୟ ସରକାର | ତେବେ ଏହି ଯୋଜନାକୁ ଲାଭ କରିବାକୁ ଚାଁହୁଥିଲେ ୪ଟି ସର୍ତ୍ତ ମଧ୍ୟ ପୂରଣ କରିବାକୁ ହେବ | ଝିଅର ବୟସ ଅତିକମରେ ୧୮ ବର୍ଷ ହୋଇଥିବାବେଳେ ସେ ଦଶମ ଯାଏଁ ପାଠ ପଢିଥିବା ଆବଶ୍ୟକ |
ସେହିପରି ନିଜ ବିବାହ ପଞ୍ଜିକରଣ କରାଇଥିବା ଝିଅଙ୍କୁ ହିଁ ସୁନା ମିଳିବ | ଝିଅର ପରିବାରର ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ କମ ହୋଇଥିଲେ ଏହି ଯୋଜନାରେ ୧୦ ଗ୍ରାମ ଯାଏଁ ସୁନା ଅଳଙ୍କାର ମିଳିପାରିବ | ଅରୁନ୍ଧତୀ ସ୍ବର୍ଣ୍ଣ ଯୋଜନାରେ ସରକାର ପ୍ରତିବର୍ଷ ୮୦୦ କୋଟି ଟଙ୍କା ଖର୍ଚ୍ଚ କରିବେ | ଆସନ୍ତା ଜାନୁୟାରୀ ୧ରୁ ଏହି ଯୋଜନା ଆରମ୍ଭ ହେବ |
ଆସାମର ଅର୍ଥ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ସୁନା ଦିଆଯିବା ପଛରେ ବଡ କାରଣ ହେଉଛି ଯେ ବିବାହ ପଞ୍ଜିକରଣକୁ ପ୍ରୋତ୍ସାହନ ଦେବା | କାରଣ ଆସାମରେ ପ୍ରତିବର୍ଷ ୩ ଲକ୍ଷ ବିବାହ ହେଉଥିବାବେଳେ କେବଳ ୫୦ ହଜାର ବିବାହ ହିଁ ପଞ୍ଜିକରଣ ହୋଇଥାଏ | ଏହି ଯୋଜନା ପରେ ବିବାହ ପଞ୍ଜିକରଣ ୨ ଲକ୍ଷ ଯାଏଁ ପହଂଚିବ ବୋଲି ସରକାର ଆଶା ରଖିଛନ୍ତି | ତେବେ ଏହି ସର୍ତ୍ତ ଚା ବଗିଚାରେ କାମ କରୁଥିବା ପରିବାର ଓ ଜନଜାତିଙ୍କ ପାଇଁ ଲାଗୁହେବ ନାହିଁ | କାରଣ ଏ ପର୍ଯ୍ୟନ୍ତ ସରକାର ସେଠାରେ ହାଇସ୍କୁଲ ଶିକ୍ଷା ପହଞ୍ଚାଇବାରେ ସଫଳ ହୋଇନାହାନ୍ତି |