ଗୌହାଟୀ: ଆସାମର  କୋକ୍ରାଝର ଜିଲ୍ଲାରେ ଗତରାତିରେ ରେଳ ଧାରଣା ଉପରେ ପ୍ରଚଣ୍ଡ  ବିସ୍ଫୋରଣ ହୋଇଛି। ଏହା ଆଇଇଡି ବିସ୍ଫୋରଣ ବୋଲି ତଦନ୍ତରୁ ଜଣାପଡ଼ିଛି। ଏଥିରେ ରେଳ ଧାରଣାର ଏକ ଅଂଶ ଉଡ଼ିଯାଇଛି। ଏଥିପାଇଁ  ଆସାମ ଏବଂ ପଶ୍ଚିମବଙ୍ଗର କିଛି ଅଂଚଳରେ ଟ୍ରେନ୍‌ ସେବା ପ୍ରଭାବିତ ହୋଇଛି।  ଜ‌ଣେ ଏନ୍‌ଏଫ୍‌ଆର(ଉତ୍ତର-ପୂର୍ବ ଫ୍ରଣ୍ଟିୟର) ଅଧିକାରୀ କହିଛନ୍ତି, ରାତି ପ୍ରାୟ ଗୋଟାଏ ସମୟରେ ଏହି ଘଟଣା ଘଟିଛି। ଏକ ମାଲବାହୀ ଟ୍ରେନ୍‌ ଏହି ଟ୍ରାକ୍‌ରେ ଯାଉଥିବା ବେଳେ ହଠାତ୍‌ ଭୟଙ୍କର ଝଟ୍‌କା ଅନୁଭୂତ ହୋଇଥିଲା।

Advertisment

ଏହାପରେ ଜରୁରୀ ବ୍ରେକ୍‌ ଲଗାଯାଇଥିଲା।  ଯାଞ୍ଚ ପରେ ରେଳବାଇ କର୍ତ୍ତୃପକ୍ଷ କହିଛନ୍ତି ଯେ ବିସ୍ଫୋରଣରେ ରେଳ ଧାରଣାକୁ ଉଠାଇ ଦିଆଯାଇଛି। ଆଇଇଡି ବିସ୍ଫୋରଣ ଯୋଗୁ ଏହା ହୋଇଥିବା ସନ୍ଦେହ କରାଯାଉଛି। ରେଳବାଇ ପୁଲିସ ବାହିନୀ, ଆସାମ ପୁଲିସ ଏବଂ ଗୁଇନ୍ଦା ସଂସ୍ଥା ସମେତ ସୁରକ୍ଷାବାହିନୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।  ଉକ୍ତ ଘଟଣାରେ କେହି ମୃତାହତ ହୋଇନାହାନ୍ତି। କିନ୍ତୁ ବିସ୍ଫୋରଣ ଯୋଗୁ ପ୍ରାୟ ୮ଟି ଟ୍ରେନ୍‌ ଅଟକି ରହିଥିଲା। ସକାଳ ୫.୨୫ ସମୟରେ ପୁଣିଥରେ ସ୍ବାଭାବିକ ଟ୍ରେନ୍‌ ସେବା ଆରମ୍ଭ ହୋଇଥିଲା ବୋଲି ଏନ୍‌ଏଫ୍‌ଆର ଅଧିକାରୀମାନେ କହିଛନ୍ତି।