ଗୁଆହାଟୀ : ଆସାମର ଗୋଲାଘାଟ ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସମେତ ଶ୍ୱଶୁର ଓ ଶାଶୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ଏବଂ ତାଙ୍କ ୯ ମାସର ଶିଶୁକୁ ନେଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି ।

Advertisment

ଅଭିଯୁକ୍ତ ଯୁବକର ନାଁ ନଜିବୁର ରେହମାନ ବୋଲି ପୁଲିସ କହିଛି । ଅଭିଯୁକ୍ତଙ୍କ ପତ୍ନୀଙ୍କ ନାମ ସଂଘମିତ୍ରା ଘୋଷ ବୋଲି ଜଣାପଡ଼ିଛି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କରୋନା ମହାମାରୀ ଯୋଗୁ ହୋଇଥିବା ଲକଡାଉନ ସମୟରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଦୁହେଁ ସୋସିଆଲ ମିଡିଆ ମାଧ୍ୟମରେ ସାକ୍ଷାତ କରିଥିଲେ। ଏହାପରେ ନଜିବୁର ଓ ସଂଘମିତ୍ରା ପ୍ରେମରେ ପଡ଼ିଯାଇଥିଲେ ଏବଂ ଏହା ପରେ ଦୁହେଁ ଏକାଠି ଘରଛାଡ଼ି ପଳାଇ ଯାଇଥିଲେ। ତେବେ ଏହାର କିଛି ଦିନ ପରେ ପରେ ସଂଘମିତ୍ରା ଘୋଷଙ୍କ ପିତାମାତା ତାଙ୍କୁ ଫେରାଇ ଆଣିଥିଲେ। କିନ୍ତୁ ତା’ପୂର୍ବରୁ ଦୁହେଁ କୋର୍ଟରେ ବିବାହ କରିସାରିଥିଲେ । ଯୁବତୀ କିଛି ଦିନ ଘରେ ରହିବା ପରେ ପୁଣି ଉକ୍ତ ଯୁବକ ସହ ଚେନ୍ନାଇ ଫେରାର ହୋଇଯାଇଥିଲେ । ୫ ମାସ ପରେ ୨୦୨୨ ମେ ମାସରେ ପୁଣି ଉଭୟ ଆସାମ ଫେରିଆସିଥିଲେ । କିନ୍ତୁ ସେତେବେଳକୁ ଯୁବତୀ ଗର୍ଭବତୀ ହୋଇସାରିଥିଲେ । ସେହିବର୍ଷ ଡିସେମ୍ବରରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଏହା ପରେ ସେ ପୁଅକୁ ନେଇ ନିଜ ପିତାମାତାଙ୍କ ନିକଟକୁ ପୁଣି ପଳାଇ ଆସିଥିଲେ ।

ଏହା ପରେ ସଂଘମିତ୍ରା ନିଜ ସ୍ବାମୀ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜ୍ଜୁ କରିଥିଲେ । ଏହା ପରେ ପୁଲିସ ନଜିବୁରକୁ ଗିରଫ କରିଥିଲା । ୨୮ ଦିନ ଜେଲରେ ରହିବା ପରେ ସେ ଜାମିନରେ ଆସିଥିଲା ଓ ନିଜ ପତ୍ନୀକୁ ଭେଟିବାକୁ ଦାବି କରୁଥିଲା । ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା । ଗତ ସୋମବାର ( ଜୁଲାଇ ୨୪)ରେ ନଜିବୁର ନିଜ ପତ୍ନୀ ଓ ଶାଶୁଶ୍ବଶୁରଙ୍କୁ ହତ୍ୟା କରିଦେଇଥିଲା ।