ଆସାମ-ମିଜୋରାମ ସୀମା ବିବାଦ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉତ୍ତର ପୂର୍ବ ରାଜ୍ୟର ବି‌ଜେପି ସାଂସଦ

ନୂଆଦିଲ୍ଲୀ: ଆସାମ ଏବଂ ମିଜୋରାମ ସୀମା ବିବାଦକୁ ନେଇ ଆଜି ଉତ୍ତର-ପୂର୍ବ ରାଜ୍ୟର ବିଜେପି ସାଂସଦ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଆସାମର ୧୨ ଜଣ ସାଂସଦ, ଅରୁଣାଚଳର ୨ ଏବଂ ମଣିପୁର, ତ୍ରିପୁରାରୁ ଜଣେ ଲେଖାଏଁ ସାଂସଦ ଆଜି ମୋଦୀଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛନ୍ତି। କଂଗ୍ରେସ ଉକ୍ତ ସ‌ମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୀତିକରଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ସ୍ମାରକପତ୍ରରେ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ‘ଉତ୍ତର-ପୂର୍ବରେ ବିକାଶ କାର୍ଯ୍ୟ’କୁ ପ୍ରଶଂସା କରିବା ସହ ଏହାକୁ ଐତିହାସିକ କୁହାଯାଇଛି।

ବୈଠକ ପରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଗଣମା‌ଧ୍ୟମରେ କହିଛନ୍ତି, ବିଦେଶୀ ଶକ୍ତିମାନେ ବିଭିନ୍ନ ଉତ୍ତେଜକ ମନ୍ତବ୍ୟ ରଖି ଦେଶରେ ଅପ୍ରୀତିକର ସ୍ଥିତି ସୃଷ୍ଟି କରିବାକୁ ଚାହୁଛନ୍ତି। ଇତି ମଧ୍ୟରେ ମିଜୋରାମ ରାଜ୍ୟପାଳ କେ ହରି ବାବୁ ପ୍ରଧାନମନ୍ତ୍ରୀଙ୍କୁ ଆଜି ଭେଟିଛନ୍ତି ଏବଂ ସୀମା ବିବାଦର ସମାଧାନ ପାଇଁ ବାଟ ବାହାରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚେଷ୍ଟା କରୁଥିବା ସେ କହିଛନ୍ତି। ସୀମାରେ ଶାନ୍ତି ଫେରାଇ ଆଣିବାପାଇଁ ୨ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ମିଜୋରାମ ମୁଖ୍ୟମନ୍ତ୍ରୀ ଆସାମର ସମସ୍ତ ଅଧିକାରୀଙ୍କ ବିରୋଧରେ ଥିବା ଏତଲା ପ୍ରତ୍ୟାହାର କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର