ଆସାମ-ମିଜୋରାମ ସୀମା ଅଶାନ୍ତ: ଗୁଳିମାଡ଼ରେ ୬ ପୁଲିସ ମୃତ, ୫୦ରୁ ଅଧିକ ଲୋକ ଆହତ

ମିଜୋରାମରେ ୮ କୃଷକଙ୍କ କୁଡ଼ିଆ ପୋଡ଼ି
କେନ୍ଦ୍ର ଗୃହମନ୍ତ୍ରୀଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡ଼ିଲେ ଉଭୟ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଆସାମ ଓ ମିଜୋରାମ୍ ସୀମାରେ ସୋମବାର ଭୟଙ୍କର ଗଣ୍ଡଗୋଳ ହୋଇଛି। ଦୀର୍ଘ ଦିନ ଧରି ଦୁଇ ରାଜ୍ୟ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ହିଂସାର ରୂପ ନେଇଛି। ସୋମବାର ଦିନ ସାରା ଲାଗି ରହିଥିବା ଉତ୍ତେଜନା ବେଳେ ଗୁଳିମାଡ଼ ହେବାରୁ ଆସାମର ୬ଜଣ ପୁଲିସ ଅଧିକାରୀ ପ୍ରାଣ ହରାଇଛନ୍ତି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଏକାଧିକ ‌ପୁଲିସ ଭ୍ୟାନରେ ନିଆଁ ଲଗାଇଦେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏହି ସୂଚନା ଦେଇଛନ୍ତି। ମିଜୋରାମର ବିଶୃଙ୍ଖଳକାରୀ ଲୋକ ଟେକାପଥର ମାଡ଼ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ମିଜୋରାମରେ ଗତକାଲି ୮ ଜଣ କୃଷକଙ୍କ କୁଡ଼ିଆକୁ ପୋଡ଼ି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ସୀମାରେ ହିଂସା ଲାଗି ରହିଥିବା ବେଳେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ। ଘଟଣାସ୍ଥଳରେ ଦୁଇରାଜ୍ୟର ଅଧିକାରୀମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚଳାଇଛନ୍ତି।

ଆସାମର ଚହର ଜିଲ୍ଲାର ଲୈଲାପୁର ଅଞ୍ଚଳରେ ଏହି ହିଂସାକାଣ୍ଡ ଘଟିଛି। ଉକ୍ତ ଅଞ୍ଚଳ ମିଜୋରାମର କୋଲାସିବ ଅଞ୍ଚଳକୁ ଲାଗିଛି। ଆସାମର ଅଧିକାରୀଙ୍କ ଦାବି ମୁତାବକ ମିଜୋରାମରୁ ବହୁସଂଖ୍ୟକ ଲୋକ ଆସି ସେମାନଙ୍କୁ ଆକ୍ରମଣ କରିଛନ୍ତି। ରାଜ୍ୟର ୬ କିମି ସୀମା ଭିତରକୁ ପ୍ରବେଶ କରି ସେମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଅନ୍ୟପକ୍ଷରେ ମିଜୋରାମର ଅଧିକାରୀମାନେ ଦାବି କରିଛନ୍ତି ଯେ ଏକ ମିଜୋ ଦମ୍ପତି କାରରେ ଯାତ୍ରା କରୁଥିବା‌ ବେଳେ ଆସାମର ଲୋକମାନେ ଆକ୍ରମଣ କରି ସେହି କାରକୁ ଭଙ୍ଗାରୁଜା କରିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାରେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଜରୁରୀ ହସ୍ତକ୍ଷେପ ଲୋଡ଼ି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରିଛନ୍ତି। ଦୁଇ ମୁଖ୍ୟମନ୍ତ୍ରୀ ଏକାଧିକ ଟ୍ବିଟ୍ କରି ପରସ୍ପରକୁ ଦୋଷାରୋପ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏହି ଘଟଣା ପାଇଁ ମିଜୋରାମର ଅଧିକାରୀଙ୍କୁ ଦୋଷ ଦେଇଥିବାବେଳେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଆସାମର ଅଧିକାରୀଙ୍କ ଉପରେ ଦୋଷ ଲଦିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଅନ୍ତଃରାଜ୍ୟ ସୀମା ସମସ୍ୟା ନେଇ ଗତ ଶନିବାର କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଉତ୍ତର ପୂର୍ବାଞ୍ଚଳର ୮ ମୁଖ୍ୟମନ୍ତ୍ରୀଙ୍କ ସହ ସିଲଂଠାରେ ଆଲୋଚନା କରିଥିଲେ। ଏହା ପୂର୍ବରୁ ଗତବର୍ଷ ଅମିତ ଶାହ ଏବଂ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଏବଂ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରମୁଖଙ୍କ ହସ୍ତକ୍ଷେପ ପରେ ଦୁଇ ରାଜ୍ୟ ମଧ୍ୟରେ ଲାଗି ରହିଥିବା ହିଂସାକୁ ପ୍ରଶମିତ କରାଯାଇଥିଲା। ସାନି ହିଂସା ନହେବା ପାଇଁ ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ମୁତୟନ କରାଯାଇଥିଲା। ଏହା ସତ୍ତ୍ବେ ଚଳିତବର୍ଷ ଜୁନ ୨୯ରୁ ଦୁଇ ରାଜ୍ୟ ମଧ୍ୟରେ ପୁନର୍ବାର ହିଂସା ଆରମ୍ଭ ହୋଇଛି। ଆଜି ଏହା ଭୟଙ୍କର ରୂପ ନେଇଛି। ଉଭୟ ରାଜ୍ୟ ପରସ୍ପର ବିରୋଧରେ ଅନୁପ୍ରବେଶ ଅଭିଯୋଗରୁ ଏଭଳି କାଣ୍ଡ ଘଟୁଛି।

ସମ୍ବନ୍ଧିତ ଖବର