ଆସାମ ଏନ୍‌ଆର୍‌ସିର ଚୂଡ଼ାନ୍ତ ତାଲିକା : ଅନିଶ୍ଚିତତାରେ ୧୯ ଲକ୍ଷ ଲୋକଙ୍କ ଜୀବନ

ବାଦ୍‌ ପଡ଼ିଲେ ବିଧାୟକ, ପୂର୍ବତନ ସେନାଧିକାରୀ, ତାଲିକାକୁ ନେଇ ବ୍ୟାପକ ଅସନ୍ତୋଷ

ଗୌହାଟୀ : ଆସାମରେ ଭାରତୀୟ ନାଗରିକଙ୍କୁ ଚିହ୍ନଟ କରିବା ସହିତ ରାଜ୍ୟରେ ବେଆଇନ ଭାବେ ବସବାସ କରୁଥିବା ଶରଣାର୍ଥୀଙ୍କୁ ବିଦା କରିବା ଲାଗି ଉଦ୍ଦିଷ୍ଟ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର ବା ଏନ୍‌ଆର୍‌ସି ପକ୍ଷରୁ ଆଜି ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରୁ ୧୯ ଲକ୍ଷ ଲୋକ ବାଦ୍ ପଡ଼ିଛନ୍ତି। ତାଲିକାରୁ ବାଦ୍ ପଡ଼ିଥିବା ଲୋକମାନଙ୍କୁ କୋର୍ଟର ଦ୍ବାରସ୍ଥ ‌ହେବା ଲାଗି ସୁଯୋଗ ଦିଆଯାଇଥିଲେ ମଧ୍ୟ ସେମାନଙ୍କ ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ବହୁସଂଖ୍ୟକ ଭାରତୀୟ ନାଗରିକଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଆଜି ପ୍ରକାଶ ପାଇଥିବା ତାଲିକାରେ ୩ କୋଟି ୧୧ ଲକ୍ଷ ଲୋକ ସ୍ଥାନ ପାଇଛନ୍ତି। ୧୯୫୧ ପରେ ଏଭଳି ତାଲିକା ପ୍ରକାଶ କରାଯିବାରେ ଏହା ହେଉଛି ଦ୍ବିତୀୟ ଘଟଣା। ଆସାମରେ ପ୍ରଥମ ତାଲିକା ଗତ ଜୁଲାଇରେ ପ୍ରକାଶ ପାଇଥିଲା। ତାଲିକାରୁ ୪୧ ଲକ୍ଷ ଲୋକ ବାଦ୍ ପଡ଼ିଥିଲେ। ଏହାକୁ ନେଇ ବଡ଼ ଧରଣର ବିବାଦ ଓ ହିଂସା ଦେଖିବାକୁ ମିଳିଥିଲା। ଚୂଡ଼ାନ୍ତ ତାଲିକା ପ୍ରକାଶ ପୂର୍ବରୁ ପ୍ରତ୍ୟେକ ଆବେଦନକୁ ନିର୍ଦ୍ଧାରିତ ପ୍ରକ୍ରିୟାରେ ଏବଂ ଉପସ୍ଥାପନ କରାଯାଇଥିବା ନୂତନ ପ୍ରମାଣ ଆଧାରରେ ଯାଞ୍ଚ କରାଯାଇଥିଲା। ଯେଉଁମାନେ ଚୂଡ଼ାନ୍ତ ତାଲିକାରେ ସାମିଲ ହୋଇଛନ୍ତି ସେମାନଙ୍କୁ ହିଁ ଆଧାର କାର୍ଡ ଜାରି କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ତାଲିକାରେ ସ୍ଥାନ ପାଇନଥିବା ଲୋକେ ଦେଶର କୌଣସି ସ୍ଥାନରେ ବି ଆଧାର କାର୍ଡ କରାଇପାରିବେ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ସୁପ୍ରିମ୍‌ କୋର୍ଟ ୩୧ ଅଗଷ୍ଟ ସୁଦ୍ଧା ଏନ୍‌ଆର୍‌ସିର ଚୂଡ଼ାନ୍ତ ତାଲିକା ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାର୍ଚ ୧୯୭୧ ପରେ ବାଂଲାଦେଶରୁ ପଶି ଆସିଥିବା ଶରଣାର୍ଥୀଙ୍କୁ ଚିହ୍ନଟ କରି ବିଦା କରିବା ହେଉଛି ଏହାର ଉଦ୍ଦେଶ୍ୟ। ଏନ୍‌ଆର୍‌ସି ତାଲିକା ତିଆରି କରିବା ପ୍ରକ୍ରିୟା ୪ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା।

ତେବେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ ତାଲିକାରେ ସ୍ଥାନ ପାଇ ନାହାନ୍ତି, ସେମାନଙ୍କୁ ଏବେ ବିଦେଶୀ ଘୋଷଣା କରାଯିବ ନାହିଁ କି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଏନଆରସି ତାଲିକା ବିରୋଧରେ ସେମାନେ ପ୍ରଥମେ ଟ୍ରିବୁନାଲ, ପରେ ହାଇକୋର୍ଟ ଓ ସୁପ୍ରିମ କୋର୍ଟ ଯାଇପାରିବେ। ଏଥିପାଇଁ ସେମାନଙ୍କୁ ୪ ମାସର ସମୟ ଦିଆଯାଇଛି। କେନ୍ଦ୍ର ସରକାର ସେମାନଙ୍କୁ ଆଇନଗତ ସହାୟତା‌ ଯୋଗାଇଦେବେ।

ଅନ୍ୟପକ୍ଷରେ ବିଭିନ୍ନ ଦଳ ଓ ସଂଗଠନ ପକ୍ଷରୁ ଚୂଡାନ୍ତ ତାଲିକା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ଅଭିଯୋଗ କରିଛନ୍ତି ଯେ ଏନଆରସି ଠିକ୍ ଭାବେ କାମ କରିନାହିଁ। ବହୁସଂଖ୍ୟକ ଭାରତୀୟ ନାଗରିକ ତାଲିକାରୁ ବାଦ ପଡ଼ିଛନ୍ତି। ବିଜେପି ଓ ଗୋର୍ଖା ସଂଗଠନ ମଧ୍ୟ ଏଭଳି ଅଭିଯୋଗ ଆଣିଛନ୍ତି।

ତାଲିକାରୁ ଜଣେ ବିଧାୟକ ଅନନ୍ତ କୁମାର ମାଲୋ ଏବଂ ପୂର୍ବତନ ସେନାଧିକାରୀ ମହମ୍ମଦ ସନାଉଲ୍ଲା ମଧ୍ୟ ବାଦ୍ ପଡ଼ିଛନ୍ତି।

ଇତିମଧ୍ୟରେ ଆସାମ ପୁଲିସ ମହାନିର୍ଦ୍ଦେଶକ କେ. ସୋକିୟା କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସ୍ବାଭାବିକ ରଖିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇଛି। ହିଂସା ସୃଷ୍ଟି ଉଦ୍ୟମ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ସୋସିଆଲ ମିଡିଆ ମାଧ୍ୟମରେ ବିଭ୍ରାନ୍ତି ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ଲୋକଙ୍କ ଉପରେ ମଧ୍ୟ ସତର୍କ ନଜର ରଖାଯାଇଛି। କେନ୍ଦ୍ର ସରକାର ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ୨୦ ହଜାର ଅତିରିକ୍ତ ଅର୍ଦ୍ଧସାମରିକ ବାହିନୀ ଯବାନ ମୁତୟନ କରିଛନ୍ତି।

ସମ୍ବନ୍ଧିତ ଖବର