ଆସାମ ରାଇଫଲ୍ସର ୨ ଯବାନ ସହିଦ

ମଣିପୁରରେ ଆତଙ୍କବାଦୀ ଆକ୍ରମଣ

ଇମ୍ଫାଲ: ଭାରତ-ମିଅାଁମାର ସୀମା ନିକଟ ମଣିପୁରର ଚାନ୍ଦେଲ ଜିଲ୍ଲାରେ ଆଜି ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣରେ ୧୮ ଆସାମ ରାଇଫଲ୍ସର ୨ ଜଣ ଯବାନ ସହିଦ ହୋଇଛନ୍ତି। ଏଥିରେ ଅନ୍ୟ ୬ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ଆଜି ସକାଳ ୬ଟାରେ ଜିଲ୍ଲା କଲେକ୍ଟରେଟ୍‌ ନିକଟ ରାସ୍ତାକଡ଼ରେ ଆତଙ୍କବାଦୀମାନେ ଏକ ବେତାର ନିୟନ୍ତ୍ରିତ ବିସ୍ଫୋରକ ଖଞ୍ଜିଥିଲେ। ୧୮ ଆସାମ ରାଇଫଲ୍ସର ଯବାନମାନେ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ଏହା ଫୁଟିଥିଲା। ଏଥିରେ ଘଟଣାସ୍ଥଳରେ ହିଁ ଯବାନ ଇନ୍ଦ୍ର ସିଂହଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ଯବାନ ସୋହାଲାଲ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେ ମଧ୍ୟ ଆଖି ବୁଜିଥିଲେ। ଖବର ପାଇ ପଡ଼ୋଶୀ ଜିଲ୍ଲାର ଅତିରିକ୍ତ ବାହିନୀ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଅନ୍ୟପକ୍ଷରେ, ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି।

ସମ୍ବନ୍ଧିତ ଖବର