ହାତୀ ନ ପଶିବାକୁ ଆସାମ ଚା ଇଷ୍ଟେଟ୍‌ରେ ରଖାଯାଇଛି ଜୀବନ୍ତ ଆକାରର ଜିରାଫ ମୂର୍ତ୍ତି

ଗୌହାଟି: ହାତୀଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇବାକୁ ଆସାମର ଗୋଲଘାଟ ଜିଲ୍ଲାର ଗୋଟାଏ ଚା ଇଷ୍ଟେଟ୍‌ ଜୀବନ୍ତ ଆକାରର ଜିରଫ ରଖିଛନ୍ତି।

ଗୋଲଘାଟ ଅନ୍ତର୍ଗତ ଲେତେକୁଜନ ଅଞ୍ଚଳରେ ଥିବା ଦୋଲଗୁରି ଚା ଇଷ୍ଟେଟ୍‌ର ପରିଚାଳକ ଉତ୍ପଳ ଗୋସ୍ୱାମୀ କହିଛନ୍ତି: ହାତୀମାନଙ୍କ ଦାଉରୁ ଚା ଗଛ ରକ୍ଷା କରିବା ପଦକ୍ଷେପସ୍ୱରୂପ ଆମେ ଗତ ସପ୍ତାହରେ ଆମ ଇଷ୍ଟେଟ୍‌ରେ ଫାଇବର ନିର୍ମିତ ତିନିଗୋଟି ଜିରାଫଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ରଖିଛୁ।
ନମ୍ବୋର୍‌-ଦୋଇଙ୍ଗରଙ୍ଗ୍‌ ବନ୍ୟପ୍ରାଣୀ ଅଭୟାରଣ୍ୟ ପାଖରେ ଥିବା ଏହି ୭୦୦ ହେକ୍ଟର୍‌ବିଶିଷ୍ଟ ଚା ବାଗାନ୍‌ରେକୁ ହାତୀମାନେ ବରାବର ଆସନ୍ତି। ହାତୀମାନେ ଚା ଇଷ୍ଟେଟ୍‌ ଦେଇ ଧାନବିଲକୁ ଯାଉଛନ୍ତି ବୋଲି ସ୍ଥାନୀୟ ସଂରକ୍ଷକମାନେ କହୁଛନ୍ତି।

ଜିରାଫ ମୂର୍ତ୍ତି ରଖାଯିବା ପୂର୍ବରୁ ଏ ସଂକ୍ରାନ୍ତରେ ଇଷ୍ଟେଟ୍‌ ପରିଚାଳନା ତରଫରୁ ବିଭାଗରେ ଅଭିଯୋଗ କରାଯାଇଥିଲା।

ଗୋସ୍ୱାମୀ କହନ୍ତି: ପ୍ରତି ଜିରଫ ମୂର୍ତ୍ତିର ମୂଲ୍ୟ ୫୦ ହଜାର ଟଙ୍କା। ଗୌହାଟି ଉପକଣ୍ଠସ୍ଥିତ ସୋନପୁରରେ ଏଗୁଡ଼ିକ ତିଆରି କରାଯାଇଛି।

ଏହି ଜିରାଫ ମୂର୍ତ୍ତିଗୁଡ଼ିକୁ ଦେଖି ହାତୀମାନେ ବାଟ ଭାଙ୍ଗି ଚାଲିଯାଉଥିବା କଥା ଟସ୍କର୍‌ ଟାସ୍କ ଫୋର୍ସର ସାଧାରଣ ସମ୍ପାଦକ ଆର୍‌ ଫୁକନ୍‌ କହିଛନ୍ତି।
କିନ୍ତୁ, ଡିଏଫ୍‌ଓ ଭାସ୍କର ଦେକା କହନ୍ତି: ଏଇଟା ସ୍ୱଳ୍ପକାଳୀନ ମାନସିକ ବାଧା। ହାତୀମାନେ ଅତି ବିଜ୍ଞ ପ୍ରାଣୀ। ଅଳ୍ପ କେଇ ଦିନ ମଧ୍ୟରେ ସେମାନେ ସତ ଜାଣିପାରିବେ।

ସମ୍ବନ୍ଧିତ ଖବର