ଟ୍ରେନରେ ନିଆଁ ଲଗାଇବାକୁ ଉଦ୍ୟମ ବେଳେ ସେନା ବଂଚାଇଲା ଶହ ଶହ ଯାତ୍ରୀଙ୍କ ଜୀବନ

ଗୌହାଟୀ: ନାଗରିକତା ସଂଶୋଧନ ବିଲକୁ ନେଇ ଏବେ ଆସାମରେ ବିକ୍ଷୋଭକାରୀ ଲଗାତାର ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଏହି ହିଂସାରୁ ବର୍ତ୍ତିପାରିନାହାନ୍ତି ସାଧାରଣ ଲୋକ | ବିକ୍ଷୋଭକାରୀ ଯାନବାହାନରେ ନିଆଁ ଲଗାଇବା ସହ ଆସାମରେ ଗମନାଗମନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି | ତେବେ ବିକ୍ଷୋଭକାରୀ ଏକ ଏକ୍ସପ୍ରେସ ଟ୍ରେନରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବାବେଳେ ସେନା ଏଭଳି ଏକ ଉଦ୍ୟମକୁ ପଣ୍ଡ କରିଦେଇଛି | ସେନା ପାଇଁ ଶହ ଶହ ଯାତ୍ରୀଙ୍କ ଜୀବନ ବଂଚିଯାଇଛି | ମିଳିଥିବା ସୂଚନା ମୁତାବକ ଗୁରୁବାର ଦିନ ବିକ୍ଷୋଭକାରୀମାନେ ନହରକାଟିଆ ରେଳ ଷ୍ଟେସନରେ ଛିଡା ହୋଇଥିବା ଏକ ଟ୍ରେନରେ ନିଆଁ ଲଗାଇବାକୁ ପହଂଚିଥିଲେ |

ଶହ ଶହ ସଂଖ୍ୟାରେ ବିକ୍ଷୋଭକାରୀ ଟ୍ରେନରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବାବେଳେ ଟ୍ରେନ ଭିତରେ ଫସିରହିଥିଲେ ବହୁ ଯାତ୍ରୀ | ତେବେ ରେଳ ଅଧିକାରୀଙ୍କ ଉପସ୍ଥିତ ବୁଦ୍ଧି ଓ ସେନାର ଯବାନଙ୍କ ପ୍ରୟାସ ଯୋଗୁଁ ଏହି ଟ୍ରେନର ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା | ସେନା ପକ୍ଷରୁ କୁହାଯାଇଛି ଯେ ନହରକାଟିଆ ରେଳ ଷ୍ଟେସନରେ ସୀଲଚର-ଦିବରୁଗଡ଼ ବ୍ରହ୍ମପୁତ୍ର ଏକ୍ସପ୍ରେସ ଛିଡା ହୋଇଥିଲା | ଏହି ସମୟରେ ବିକ୍ଷୋଭକାରୀ ଏହି ଟ୍ରେନରେ ନିଆଁ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଦେଇଥିଲେ |

ଏହି ସମୟରେ ରେଳ ଅଧିକାରୀମାନେ ତୁରନ୍ତ ସେନାକୁ ଏ ବାବଦରେ ଖବର ଦେଇଥିଲେ | ଏହି ସୂଚନା ପାଇବା ପରେ ତୁରନ୍ତ ଯବାନମାନେ ଷ୍ଟେସନରେ ପହଁଚିଯାଇଥିଲେ ଓ ବିକ୍ଷୋଭକାରୀଙ୍କୁ ଘଉଡାଇଦେଇଥିଲେ | ଏହା ପରେ ସେନା ଓ ଆସାମ ରାଇଫଲସର ଯବାନମାନେ ଟ୍ରେନରେ ଫସିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ |

ସମ୍ବନ୍ଧିତ ଖବର