ଅଣାୟତ୍ତ ହେଉଛି ଉତ୍ତର-ପୂର୍ବାଞ୍ଚଳ: ମେଘାଳୟକୁ ବ୍ୟାପିଲା ହିଂସା, ଆସାମରେ ୨ ମୃତ

ଗୁଆହାଟୀ : ସେନା ମୁତୟନସତ୍ତ୍ୱେ ନାଗରିକତା (ସଂଶୋଧନ) ବିଲ୍‌ –୨୦୧୯ ପ୍ରତିବାଦରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ହିଂସା ବ୍ୟାପିବାରେ ଲାଗିଛି । ଆସାମ, ତ୍ରିପୁରା ପରେ ହିଂସା ଏବେ ମେଘାଳୟକୁ ବ୍ୟାପିଛି । ମେଘାଳୟକୁ ସଂପୂର୍ଣ୍ଣଭାବେ ଏହି ଆଇନ ପରିସରରୁ ବାହାରେ ରଖିବାକୁ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଦାବି କରିଛନ୍ତି । ନିଜର ଦାବି ସଂପର୍କରେ ଗୃହମନ୍ତ୍ରୀ ଅମିତଶାହାଙ୍କୁ ଜଣାଇବାକୁ ସେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ।

ଆସାମରେ ଏହି ହିଂସାଯୋଗୁଁ ମୃତ୍ୟୁସଂଖ୍ୟା ୨ରେ ପହଞ୍ଚିଛି । ଏହି ୨ ଜଣ ପୁଲିସ ଗୁଳିରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ପୁଲିସ ଗୁଳିରେ ଆହତ ହେବା ପରେ ଦୁହେଁ ଗୌହାଟୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ । ତେବେ ଦୁଇଜଣଙ୍କ ପରିଚୟକୁ ଗୋପନ ରଖାଯାଇଛି ।

ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହୋଇଥିବା ନାଗରିକତା (ସଂଶୋଧନ) ବିଲ୍‌-୨୦୧୯ ରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ,ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ । ଏହା ଆଇନରେ ପରିଣତ ହେଲେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ବାଂଲାଦେଶୀ ଶରଣାର୍ଥୀମାନଙ୍କୁ ଥଇଥାନ କରାଯିବ । ଏହା ସ୍ଥାନୀୟ ଲୋକଙ୍କ ଜୀବନଜୀବିକାକୁ ପ୍ରଭାବିତ କରିବ ବୋଲି ଉତ୍ତର-ପୂର୍ବାଞ୍ଚଳ ଲୋକମାନେ ମନେକରୁଛନ୍ତି ।

ସମ୍ବନ୍ଧିତ ଖବର