ଗୌହାଟୀ: ଭାରତ ଏକ ୧୪ ବର୍ଷର ରୋହିଙ୍ଗ୍ୟା ନାବାଳିକାକୁ ମିଆଁମାର୍କୁ ହସ୍ତାନ୍ତର କରିବାକୁ ଚାହୁଥିବା ବେଳେ ମିଆଁମାର ଉକ୍ତ ନାବାଳିକାକୁ ଗ୍ରହଣ କରିବାକୁ ଆଜି ମନା କରିଦେଇଛି। ମଣିପୁରରୁ ଆସାମ ପୁଲିସ ଦ୍ବାରା ମିଆଁମାର୍ର ଏହି ନାବାଳିକାକୁ ଉଦ୍ଧାର କରାଯିବା ପରେ ତାକୁ ଅନ୍ତର୍ଜାତୀୟ ସୀମାକୁ ନିଆଯାଇଥିଲା। ତେବେ ମିଆଁମାର୍ ଇମିଗ୍ରେସନ ଅଧିକାରୀମାନେ ଉକ୍ତ ନାବାଳିକାକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ମିଆଁମାରରେ ଏବେ ସାମରିକ ସରକାରକୁ ନେଇ ସଙ୍କଟ ଲାଗି ରହିଥିବାରୁ ବର୍ତ୍ତମାନ ସ୍ଥିତିରେ କୌଣସି ନିର୍ବାସିତଙ୍କୁ ଗ୍ରହଣ କରାଯିବ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି।
ୟାଙ୍ଗୋନ: ମିଆଁମାରରେ ସାମରିକ ଶାସନ ବିରୋଧରେ ଏବେ ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେଇଛି। ଆନ୍ଦୋଳନକାରୀଙ୍କୁ ଦମନ କରିବା ପାଇଁ ସେନା ଅତି ନିଷ୍ଠୁର ପନ୍ଥା ଅବଲମ୍ବନ କରିଛି ଏବଂ ସେନା ଗୁଳିରେ ସପ୍ତାହକ ମଧ୍ୟରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଦେଶର ୫୦ ପ୍ରତିଶତ ଅଂଚଳରେ ଇଣ୍ଟରନେଟ୍ କଟକଣା ଯୋଗୁଁ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି ଏବଂ ସେନା ବିରୋଧରେ ଗରିଲା ଯୁଦ୍ଧ ପାଇଁ ଆହ୍ବାନ ଦେଇଛନ୍ତି। ସାମରିକ ଶାସନ ବିରୋଧରେ ଏବେ ଜନସାଧାରଣ ଏକଜୁଟ୍ ହୋଇ ବିଭିନ୍ନ ସ୍ଥାନରେ ଗୁପ୍ତ ସମାବେଶ କରୁଛନ୍ତି।