ସ୍ୱାଧିକାର ଭଙ୍ଗ ଅଭିଯୋଗରେ ଦୁଇ ସଂପାଦକଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରିକଲେ କର୍ଣ୍ଣାଟକ ବିଧାନସଭା

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ପ୍ରକାଶିତ ହେଉଥିବା ଦୁଇଟି ପୃଥକ ପୃଥକ ସମ୍ବାଦପତ୍ରର ଦୁଇଜଣ ସଂପାଦକଙ୍କୁ ସ୍ୱାଧିକାରଭଙ୍ଗ ଅପରାଧରେ ଗିରଫ କରିବା ପାଇଁ ଆଜି କର୍ଣ୍ଣାଟକ ବିଧାନସଭା ପକ୍ଷରୁ ନାର୍ଦ୍ଦେଶନାମା ଜାରି କରାଯାଇଛି। ବିଧାନସଭା ସଚିବାଳୟ ପକ୍ଷରୁ ରାଜ୍ୟ ଗୃହ ବିଭାଗକୁ ଜାରି କରାଯାଇଥିବା ଏହି ନର୍ଦ୍ଦେଶନାମାରେ ସଂପୃକ୍ତ ଦୁଇ ସଂପାଦକଙ୍କୁ ଅବିଳମ୍ବେ ଗିରଫ କରିବା ପାଇଁ କୁହାଯାଇଛି। ବେଙ୍ଗାଲୁରର ଏହି ଦୁଇ ସଂପାଦକ ହେଲେ ରବି ବେଲାଗିରି ଓ ଅନୀଲ ରାଜ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବିଧାନସଭାର ସ୍ୱାଧୀକାର କମିଟି ସଂପୃକ୍ତ ଦୁଇ ସଂପାଦକଙ୍କୁ ସ୍ୱାଧୀକାର ଭଙ୍ଗ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଏକବର୍ଷ ପାଇଁ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିଲେ। ପରବର୍ତ୍ତୀ ସମୟରେ ସଂପୃକ୍ତ ଦୁଇ ସଂପାଦକ ସ୍ୱାଧୀକାର କମିଟି ନିକଟରେ କ୍ଷମା ପ୍ରାର୍ଥନା କରିବା ସହ ସେମାନଙ୍କୁ ଦଣ୍ଡମୁକ୍ତ କରିବାକୁ ଅନୁରୋଧ କରିଥିଲେ। ହେଲେ, ଗତ ମଙ୍ଗଳବାର ବସିଥିବା କର୍ଣ୍ଣାଟକ ବିଧାନସଭାର ସ୍ୱାଧୀକାର କମିଟି ସଂପାଦକ ଦ୍ୱୟଙ୍କର କ୍ଷମା ପ୍ରାର୍ଥନା ଓ ଅନୁରୋଧକୁ ସର୍ବସମ୍ମତି କ୍ରମେ ନାକଚ କରିବା ପରେ ବିଧାନସଭା ସଚିବାଳୟ ପକ୍ଷରୁ ଆଜି ସେମାନଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରି କରାଯାଇଛି।

ଖବରରୁ ପ୍ରକାଶ, ୨୦୧୪ରେ ରାନେବିନୁର ବିଧାୟକ କେବି କୋଲିଓ୍ଵାଡ (ବର୍ତ୍ତମାନର ବାଚସ୍ପତି)ଙ୍କ ସଂପର୍କରେ ରବି ବେଲାଗିରିଙ୍କ ଦ୍ୱାରା ସଂପାଦିତ ‘ହାଏ ବେଙ୍ଗାଲୁରୁ’ରେ କିଛି ଆପତ୍ତିଜନକ ଲେଖା ପ୍ରକାଶିତ ହୋଇଥିଲା। ଏଥିରେ ଆପତ୍ତି ପ୍ରକାଶ କରି ଏହି ଲେଖାଦ୍ୱାରା ତାଙ୍କର ସ୍ୱାଧିକାର ଭଙ୍ଗ ହୋଇଥିବା ଅଭିଯୋଗ କରି ସେ ବିଧାନସଭା ସ୍ୱାଧିକାର କମିଟି ନିକଟରେ ଅଭିଯୋଗ କରିଥିଲେ।

ସେହିପରି ୟାଲାହାଙ୍କା ବିଧାୟକ ଏସ୍‌ଆର୍‌ ବିଶ୍ୱନାଥଙ୍କ ସଂପର୍କରେ ତାଙ୍କ ସ୍ୱାଧିକାରକୁ କ୍ଷୁଣ୍ଣ କଲାଭଳି କିଛି ଲେଖା ସାମ୍ବାଦିକ ତଥା ସଂପାଦକ ଅନୀଲ ରାଜ୍‌ ତାଙ୍କ ସଂପାଦିତ ‘ୟାଲାହାଙ୍କା ଭଏସ୍‌’ରେ ପ୍ରକାଶ କରିଥିବା ଅଭିଯୋଗ କରି ସେ ମଧ୍ୟ ତାଙ୍କ ବିରୋଧରେ ବିଧାନସଭା ସ୍ୱାଧିକାର କମିଟିର ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର