ନୂଆଦିଲ୍ଲୀ : ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଜାତୀୟ ନିର୍ବାଚନକୁ ପ୍ରଭାବିତ କରେ ନାହିଁ ବୋଲି କହିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ଉତ୍ତରପ୍ରଦେଶରେ ବିଜେପିର ବିଜୟ ୨୦୨୪ ଲୋକସଭା ନିର୍ବାଚନ ଫଳାଫଳକୁ ନିର୍ଦ୍ଧାରିତ କରିସାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ । ଏହାର ଜବାବ ଦେଇ ପ୍ରଶାନ୍ତ କିଶୋର ଏହା କହିଛନ୍ତି ।

Advertisment

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଲ ଭାବରେ ଜାଣିଛନ୍ତି ଯେ ରାଜ୍ୟ ନିର୍ବାଚନର ଫଳାଫଳ ଲୋକସଭା ନିର୍ବାଚନକୁ ପ୍ରଭାବିତ କରେ ନାହିଁ । ୨୦୧୨ ଉତ୍ତରପ୍ରଦେଶର ନିର୍ବାଚନରେ ସମାଜବାଦୀ ପାର୍ଟି ଜିତିଥିଲା ଓ ବିଜେପି ୪ର୍ଥ ସ୍ଥାନରେ ଥିଲା । କିନ୍ତୁ ୨୦୧୪ ଲୋକସଭା ନିର୍ବାଚନରେ କଣ ହୋଇଥିଲା ?

ଗତ ୧୦ ତାରିଖରେ ବିଜେପିର ବିଜୟ ପରେ ମୋଦୀ କହିଥିଲେ ଯେ ୨୦୨୨ରେ ଉତ୍ତରପ୍ରଦେଶ ନିର୍ବାଚନରେ ବିଜୟ ହାସଲ କରିବା ପରେ ୨୦୨୪ର ସାଧାରଣ ନିର୍ବାଚନର ପରିଣାମ ନିର୍ଦ୍ଧାରିତ ହୋଇଯାଇଛି । ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ କହିଥିଲେ ଯେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଜିତିବା ପରେ ରାଜନୈତିକ ସମୀକ୍ଷକମାନେ କହିଥିଲେ ଯେ ଏହି ଫଳାଫଳ ତ ୨୦୧୭ରେ ବିଜେପି ଉତ୍ତରପ୍ରଦେଶ ନିର୍ବାଚନ ଜିତିବା ପରେ ସ୍ଥିର ହୋଇଯାଇଥିଲା । ଏଣୁ ୨୦୨୨ରେ ଉତ୍ତରପ୍ରଦେଶ ଜିତିବା ପରେ ୨୦୨୪ର ସାଧାରଣ ନିର୍ବାଚନର ପରିଣାମ ନିର୍ଦ୍ଧାରିତ ହୋଇଯାଇଛି ।