ବିଧାନସଭା ନିର୍ବାଚନ ୨୦୧୮, ରାହୁଲ-ମୋଦୀ ମୁହାଁମୁହିଁ

ଛତରପୁର(ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଆଜି ବିଜେପି ଓ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ହୋଇଛି। ରାଜ୍ୟର ଛତରପୁରରେ ଅନୁଷ୍ଠିତ ବିଜେପି ଜନସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆକ୍ରମଣ କରିଥିଲା ବେଳେ ରାଜ୍ୟର ଦାମୋହଠାରେ ଆୟୋଜିତ ସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପିକୁ ଜବାବ ଦେଇଛନ୍ତି। ବ୍ୟାପମ୍‌ ଦୁର୍ନୀତି, କୃଷି ଋଣ ଛାଡ଼ ଆଦିକୁ ପ୍ରସଙ୍ଗ କରି ‌ସେ ବିଜେପି ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ଆଜି ସରଗରମ ହୋଇଛି।‌ ଜନସମାବେଶକୁ ସମ୍ବୋଧନ କରି ମୋଦୀ କହିଛନ୍ତି, ଦୁର୍ନୀତି କଂଗ୍ରେସର ଜୀବନରେଖା ପାଲଟିଛି। କ୍ଷମତାରେ ଥିଲା ବେଳେ ଦଳ ଅନେକ ଦୁର୍ନୀତିରେ ଲିପ୍ତ ରହିଥିଲା। ଦେଶବାସୀଙ୍କୁ ଏହା ଅଛପା ନାହିଁ। ଦୁର୍ନୀତିକୁ ମାଧ୍ୟମ କରି କଂ‌ଗ୍ରେସ ଶିବରାଜ ମାମା (ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌)ଙ୍କୁ ଗାଳି କରିବା ଉଚିତ ନୁହେଁ। ବରଂ ବୋଫର୍ସ ସ୍କାମ୍‌ ଓ ଭୋପାଳ ଗ୍ୟାସ୍‌ କାଣ୍ଡକୁ ନେଇ ଦଳ କ୍ବା‌ତ୍ରୋଚି ଓ ଏଣ୍ଡରସନ୍‌ ମାମାଙ୍କୁ ମନେପକାଇବା ଆବଶ୍ୟକ। ଡଲାର ତୁଳନାରେ ଟଙ୍କା ମୂଲ୍ୟହ୍ରାସ ପ୍ରସଙ୍ଗରେ ଗତକାଲି କଂଗ୍ରେସ ନେତା ରାଜ୍‌ ବବ୍ବର ଦେଇଥିବା ବୟାନକୁ ମୋଦୀ ସମ‌ାଲୋଚନା କରିଛନ୍ତି।

ସେ କହିଛନ୍ତି, କଂଗ୍ରେସ ମୋ ସହିତ ମୁକାବିଲା କରିନପାରି ମାଆଙ୍କୁ ଟାର୍ଗେଟ୍‌ କରୁଛି। ଏହା ଏକ ଶସ୍ତା ରାଜନୀତି । ମୋ ମାଆ ରାଜନୀତିର ‘ର’ ଅକ୍ଷର ଜାଣିନଥିବା ବେଳେ ତାଙ୍କୁ ରାଜନୀତିକୁ ଟାଣି ଦଳ ନିଜ ଅକ୍ଷମତାର ପରିଚୟ ଦେଇଛି। ମୋତେ ସେମାନେ ପାରିଲେନି ବୋଲି ଶେଷରେ ମାଆଙ୍କୁ ଟାଣିଲେ। ମୋଦୀ କହିଛନ୍ତି, କଂଗ୍ରେସ ସବୁବେଳେ ବିଭାଜନ ରାଜନୀତି କରିଆସୁଛି। ରାଜ୍ୟରେ କଂଗ୍ରେସର ୫୫ ବର୍ଷ ଶାସନ ଓ ବିଜେପିର ୧୫ ବର୍ଷ ଶାସନକୁ ଲୋକମାନେ ତଉଲିବା ଉଚିତ। ଦାମୋହରେ ଜନସମାବେଶକୁ ଉଦ୍‌ବୋଧନ ଦେଇ ରାହୁଲ କହିଛନ୍ତି, ବିଜେପି ଚାଷୀଙ୍କ ଋଣ ଛାଡ଼ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। କିନ୍ତୁ ଶିଳ୍ପପତିଙ୍କ ହଜାର ହଜାର କୋଟି ଟଙ୍କା ଋଣ ଛାଡ଼ କରିବାରେ ଥରୁଟିଏ ବି ଚିନ୍ତା କରୁନାହିଁ। କୃଷି ଋଣ ଛାଡ଼ କରିବାରେ ଯଦି ବିଜେପି ସରକାର କୁନ୍ଥକୁନ୍ଥ ହେଉଛି, ତେବେ ଶିଳ୍ପପତିଙ୍କ ଋଣ ଛାଡ଼ କରିବାରେ ମଧ୍ୟ ଅନୁରୂପ ମନୋଭାବ ରହିବା ଜରୁରି। ବ୍ୟାପମ୍‌ ଦୁର୍ନୀତି ଯୋଗୁ ଯୁବପିଢ଼ିଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଚାଲିଯାଇଛି। ଯେଉଁ ମେଧାବୀ ଛାତ୍ରଛାତ୍ରୀଙ୍କ ନିକଟରେ ଅର୍ଥ ନାହିଁ, ସେମାନେ ଚାକିରିରୁ ବଞ୍ଚିତ ହେଉଛନ୍ତି। ଏହି ଧାରା ଏବେ ଅବ୍ୟାହତ ରହିଛି। ଏସବୁ କାର୍ଯ୍ୟ ପାଇଁ ଦେଶବାସୀ ବିଜେପିକୁ ଆଉ ବିଶ୍ବାସ କରିପାରୁ ନାହାନ୍ତି।

ସମ୍ବନ୍ଧିତ ଖବର