ବିଧାନସଭା ନିର୍ବାଚନ, ରାଜସ୍ଥାନରେ ‘ଜାତି’ ରଣନୀତି

ଜାଟ୍‌ ସମ୍ପ୍ରଦାୟର ୩୩ ପ୍ରାର୍ଥୀ ସାମିଲ

ଜୟପୁର: ରାଜସ୍ଥାନ ବିଧାନସଭା‌ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର ଚଳାଇଥିବା ବେଳେ ବିଜେପି ଓ କଂଗ୍ରେସ ‘ଜାତି’କୁ ନେଇ ଅଙ୍କ କଷିଛନ୍ତି। ନିର୍ଦ୍ଦିଷ୍ଟ ଜାତିକୁ ଗୁରୁତ୍ବ ଦେଇ ‌‌ଉଭୟ ଦଳ ନିର୍ବାଚନ ରଣାଙ୍ଗନ ପାର୍‌ କରିବାକୁ ‌ରଣନୀତି ତିଆରି କରିଛନ୍ତି। କଂଗ୍ରେସ ଓ ବିଜେପି ବିଶେଷକରି ଜାଟ୍‌ ସମ୍ପ୍ରଦାୟକୁ ଟାର୍ଗେଟ୍‌ କରି ପ୍ରାର୍ଥୀ ଦେଇଛନ୍ତି। ଉଭୟ ଦଳ ଜାଟ୍‌ ସମ୍ପ୍ରଦାୟରୁ ୩୩ ପ୍ରାର୍ଥୀ ଦେଇଛନ୍ତି। ତେଣୁ ଜାଟ୍‌ ସମୁଦାୟର ଭୋଟର୍‌ଙ୍କ ସମର୍ଥନ ହାତେଇବା ପାଇଁ ସେମାନେ ଏଭଳି ପନ୍ଥା ଅବଲମ୍ବନ କରିଛନ୍ତି। ନିର୍ବାଚନରେ ଏହି ସମ୍ପ୍ରଦାୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଦୁଇଦଳ ଭଲ ଭାବେ ଅବଗତ ହେବା ପରେ ଏଭଳି ପଦକ୍ଷେପ ନେଇଛନ୍ତି। ମିଳିଥିବା ଖବର ମୁତାବକ, ରାଜସ୍ଥାନରେ ବିଜେପି ୨୬ ରାଜପୁତ ସମ୍ପ୍ରଦାୟ ନେତାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଏହି ସମୁଦାୟରୁ ୧୫ ପ୍ରାର୍ଥୀ ଦେଇଛି। ଏହା ବାଦ୍‌ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିରୁ ଉଭୟ ଦଳ ୬୦ରୁ ଅଧିକ ପ୍ରାର୍ଥୀ ଦେଇଛନ୍ତି। ବିଶେଷକରି ଯେଉଁ ସ୍ଥାନରେ ନିର୍ଦ୍ଦିଷ୍ଟ ଜାତିର ପ୍ରଭାବ ରହିଛି, ତାହାକୁ ଟାର୍ଗେଟ୍‌ କରି ପ୍ରାର୍ଥୀ ଦିଆଯାଉଛି। ଏହାକୁ ଆଖିରେ ରଖି ବିଜେପି ଓ କଂଗ୍ରେସ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବ୍ରାହ୍ମଣ, ବୈଶ୍ୟ ଓ ଅନ୍ୟ ପଛୁଆ ବର୍ଗକୁ ପ୍ରାଧାନ୍ୟ ଦେଇଛନ୍ତି। ସମାନ ଜାତିର ନେତାଙ୍କୁ ପରସ୍ପର ବିରୋଧରେ ଠିଆକରି ନିର୍ବାଚନ ଲଢ଼ିବାକୁ ରଣନୀତି ପ୍ରସ୍ତୁତ କରାଯାଇଛି। ସୂଚନା ମୁତାବକ, ୭ଟି ଆସନରେ ବ୍ରାହ୍ମଣ ପ୍ରାର୍ଥୀ ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ୪ଟି ରାଜପୁତ ଓ ଦୁଇଟି ଲେଖାଏଁ ଆସନରେ ଗୁର୍ଜର ଓ ଯାଦବ ପ୍ରାର୍ଥୀ ପରସ୍ପର ବିରୋଧରେ ଲଢ଼ୁଛନ୍ତି। ତେବେ ରାଜସ୍ଥାନରେ ଦଳଗୁଡ଼ିକ ଜାତିକୁ ଲକ୍ଷ୍ୟରେ ରଖି ଟିକଟ ଆବଣ୍ଟନ କରିଥାନ୍ତି ବୋଲି ଜଣେ ବିଶାରଦ କହିଛନ୍ତି।

୧୧ ବିଦ୍ରୋହୀ ନେତାଙ୍କୁ ନିଲମ୍ବିତ କଲା ରାଜସ୍ଥାନ ବିଜେପି
ଜୟପୁର : ଆସନ୍ତା ଡିସେମ୍ବର ୭ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ରାଜ୍ୟ ବିଜେପି ୧୧ ବରିଷ୍ଠ ନେତାଙ୍କୁ ନିଲମ୍ବନ କରିଛି। ନିଲମ୍ବିତ ନେତାଙ୍କ ମଧ୍ୟରେ ୪ ଜଣ ପୂର୍ବତନ ମନ୍ତ୍ରୀ ମଧ୍ୟ ଅଛନ୍ତି। ଦଳ ପକ୍ଷରୁ କିଛି ନୂଆ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ବେଳେ ଏହି ନୂଆ ପ୍ରାର୍ଥୀଙ୍କୁ ବିରୋଧ କରି କିଛି ବିଦ୍ରୋହୀ ନେତା ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ବିଦ୍ରୋହୀ ନେତାଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ୬ ବର୍ଷ ପାଇଁ ନିଲମ୍ବନ କରାଯାଇଛି। ନିଲମ୍ବିତ ନେତାଙ୍କ ମଧ୍ୟରେ ସୁରେନ୍ଦ୍ର ଗୋୟଲ୍‌, ଲକ୍ଷ୍ମୀନାରାୟଣ ଡାଭେ, ରାଧେଶ୍ୟାମ ଗଙ୍ଗାନଗର, ହେମସିଂହ ଭଦନା, ରାଜକୁମାର ରିନାଭା, ରାମେଶ୍ବର ଭାଟି, କୁଲଦୀପ ଧଙ୍କଡ଼, ଦୀନଦୟାଲ କୁମାଭତ, କୀଶନରାମ ନଇ, ଧାନସିଂହ ରାୱତ ଏବଂ ଅନୀତା କତରା ପ୍ରମୁଖ ରହିଛନ୍ତି।

ସମ୍ବନ୍ଧିତ ଖବର