ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସକୁ ହରାଇ ବିଜେପିର ବିପୁଳ ବିଜୟ ହୋଇଥିବା ବେଳେ ତେଲେଙ୍ଗାନାରେ ବିଆରଏସ୍‌ ବିପକ୍ଷରେ କଂଗ୍ରେସ ଜିତିଛି। ତେବେ ଏହି ସବୁ ରାଜ୍ୟ ଗୁଡ଼ିକରେ ମୁଖ୍ୟମନ୍ତ୍ରୀ ପଦବିରେ ଥାଇ ଲଢ଼ିଥିବା ନେତାମାନେ ନିର୍ବାଚନରେ ବିଜୟ ହାସଲ କରିଛନ୍ତି।

Advertisment

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୁଧନୀ ଆସନରେ ନିର୍ବାଚନ ଲଢ଼ି ୧,୬୪,୯୫୧ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ବିକ୍ରମ ମସ୍ତାଲ ଶର୍ମାଙ୍କୁ ସେ ୧,୦୪,୯୭୪ ଖଣ୍ଡ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ଛତିଶଗଡ଼ର ପାଟନରେ ଭୂପେଶ ବଘେଲଙ୍କୁ ୯୫,୪୩୮ ଖଣ୍ଡ ଭୋଟ ପାଇଥିବା ବେଳେ ସେ ନିକଟତମ ବିଜେପି ପ୍ରାର୍ଥୀ ବିଜୟ ବଘେଲଙ୍କୁ୧୯,୭୨୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

ସେହିପରି ରାଜସ୍ଥାନର ସରଦାରପୁରାରେ ଅଶୋକ ଗହଲୋତ ୯୬,୮୫୯ ଖଣ୍ଡ ଭୋଟ ପାଇଛନ୍ତି। ସେ ନିକଟତମ ବିଜେପି ପ୍ରାର୍ଥୀ ମହେନ୍ଦ୍ର ରାଠୋରଙ୍କୁ ୨୬,୩୯୬ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ ତେଲେଙ୍ଗାନାର ଗ‌ଜୱେଲରେ କାଲଭାକୁନ୍ତଳା ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ୧,୧୧,୬୮୪ ଖଣ୍ଡ ଭୋଟ ମିଳିଛି। ବିଜେପି ପ୍ରାର୍ଥୀ ଇତଲା ରାଜେନ୍ଦ୍ରଙ୍କ ବିପକ୍ଷରେ କେସିଆର ୪୫,୦୩୧ ଖଣ୍ଡ ଭୋଟ୍‌ ବ୍ୟବଧା‌ନରେ ନିର୍ବାଚନ ଜିତିଛନ୍ତି।