ବିଧାନସଭା ନିର୍ବାଚନ ଫଳାଫଳ: ୨ ମୁଖ୍ୟମନ୍ତ୍ରୀ, ୫ ପୂର୍ବତନ ମୁଖ୍ୟମନ୍ତ୍ରୀ ହାରିଲେ; ପଞ୍ଜାବରେ ବାଦଲ ପରିବାର ସଫା

ନୂଆଦିଲ୍ଲୀ  : ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳରେ ଏଥର ଅନେକ ହଟଚମଟ ଦେଖିବାକୁ ମିଳିଛି। ନିର୍ବାଚନରେ ବହୁତ ହେଭିୱେଟ୍‌ ହାରି ଯାଇଛନ୍ତି। କ୍ଷମତାରେ ଥିବା ୨ ମୁଖ୍ୟମନ୍ତ୍ରୀ ଏବଂ ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ନିଜ ନିଜ ଆସନରୁ ହାରିଛନ୍ତି। ଚନ୍ନି ଚମକୌର ସାହେବ ଏବଂ ଭଦୌର ଆସନରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେ ୨ଟି ଯାକ ଆସନରୁ ହାରିବା ଦଳ ପାଇଁ ବଡ଼ ଝଟ୍‌କା ସାବ୍ୟସ୍ତ ହୋଇଛି। ଚନ୍ନି ନିର୍ବାଚନ ହାରିବାପରେ ଟ୍ବିଟ୍‌ କରି ଲୋକଙ୍କ ରାୟକୁ ସମ୍ମାନର ସହ ଗ୍ରହଣ କରୁଥିବା କହିଛନ୍ତି।

ସେହିଭଳି ଶିରୋମଣି ଅକାଳି ଦଳ ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ତାଙ୍କର ପାରମ୍ପରିକ ଲମ୍ବି ଆସନରେ ଆପ୍‌ର ଗୁରମିତ ସିଂହ ଖୁଦିଆନଙ୍କଠାରୁ ହାରି ଯାଇଛନ୍ତି। ୯୪ ବର୍ଷୀୟ ବାଦଲ ନିର୍ବାଚନ ମଇଦାନରେ ସବୁଠାରୁ ବୟସ୍କ ପ୍ରାର୍ଥୀ ଥିଲେ। ୧୧,୩୯୬ ଭୋଟ୍ ବ୍ୟବଧାନରେ ସେ ହାରିଛନ୍ତି। ସେହିପରି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଏବଂ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ ପରାଜିତ ହୋଇଛନ୍ତି। ପଞ୍ଜାବରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ବାଦଲ, ଅମରିନ୍ଦର ଏବଂ ରାଜିନ୍ଦର କୌର ଭଟ୍ଟଲ ସେମାନଙ୍କ ଆସନରୁ ହାରିଛନ୍ତି। ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ପ୍ରାର୍ଥୀ ଚର୍ଚିଲ୍‌ ଆଲେମାଓ ଆପ୍‌ ପ୍ରାର୍ଥୀଙ୍କଠାରୁ ହାରିଛନ୍ତି।

ପଞ୍ଜାବରେ ପ୍ରଥମ ଥର ପାଇଁ ରାଜ୍ୟର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ପରିବାର ତଥା ବାଦଲ ପରିବାରରୁ କୌଣସି ଜଣେ ହେଲେ ବି ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇନାହାନ୍ତି। ଦୀର୍ଘ ୩ ଦଶନ୍ଧି ପରେ ବାଦଲ ପରିବାରରୁ କୌଣସି ଜଣେ ବି ସଦସ୍ୟ ବିଧାନସଭାରେ ପ୍ରତିନିଧିତ୍ବ କରିବେନି। ୨୦୨୨ ବିଧାନସଭା ନିର୍ବାଚନ ଲଢ଼ିଥିବା ବାଦଲ ପରିବାରର ସମସ୍ତ ସଦସ୍ୟ ସେମାନଙ୍କ ଆସନରୁ ହାରି ଯାଇଛନ୍ତି। ଶେଷ ଥର ପାଇଁ ୧୯୯୨ରେ ସିରୋମଣି ଅକାଳି ଦଳ ରାଜ୍ୟ ବିଧାନସଭା ନିର୍ବାଚନ ବର୍ଜନ କରିବା‌ ସମୟରେ ବାଦଲ ପରିବାରର କୌଣସି ଜଣେ ସଦସ୍ୟ ବିଧାନସଭାରେ ନଥିଲେ। ୫ଥର ମୁଖ୍ୟମନ୍ତ୍ରୀ ହୋଇଥିବା ପ୍ରକାଶ ସିଂହ ବାଦଲ ପଞ୍ଜାବର ଲମ୍ବି ଆସନରେ ଆପ୍ ପ୍ରାର୍ଥୀ ଗୁରମିତ ଖୁଦ୍ଦିଆନଙ୍କଠାରୁ ହାରି ଯାଇଛନ୍ତି। ପ୍ରକାଶ ସିଂହ ବାଦଲଙ୍କ ପୁଅ ତଥା ଅକାଳି ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ ମଧ୍ୟ ଜଲାଲାବାଦ୍‌ରୁ ହାରି ଯାଇଛନ୍ତି। ସୁଖବୀରଙ୍କ ଜ୍ବାଇଁ ଆଦେଶ ପ୍ରତାପ ସିଂହ ମଧ୍ୟ ପଟ୍ଟି ଆସନରୁ ହାରିଛନ୍ତି।

ସୁଖବୀର ସିଂହ ବାଦଲଙ୍କ ଭିଣୋଇ ବିକ୍ରମ ସିଂହ ମାଜିଥିଆ ଏବଂ ତାଙ୍କ ସମ୍ପର୍କୀୟ ଭାଇ ମନପ୍ରିତ ବାଦଲ ମଧ୍ୟ ସେମାନଙ୍କ ଆସନରୁ ହାରିଛନ୍ତି। କେବଳ ବାଦଲ ପରିବାର ନୁହନ୍ତି ତାଙ୍କ ସମ୍ପର୍କୀୟ ବି ଆପ୍‌ ପ୍ରାର୍ଥୀଙ୍କଠାରୁ ହାରିଛନ୍ତି। ଆପ୍‌ ପଞ୍ଜାବ ରେ ୧୧୭ ଆସନରୁ ଦୁଇ ତୃତୀୟାଂଶରୁ ଅଧିକ ଆସନରେ ଜିତିଛି।

ସମ୍ବନ୍ଧିତ ଖବର