ବିଧାନସଭା ନିର୍ବାଚନ: ୟୁପିରେ ବିଜେପି, ପଞ୍ଜାବରେ ଆପ୍

ୟୁପିରେ ଯୋଗୀଙ୍କ ରେକର୍ଡ; ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ବି ବିଜେପି

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କ୍ରମାଗତ ଦ୍ବିତୀୟ ଥର ବିଜୟୀ ହୋଇ ବିଜେପି ରେକର୍ଡ ସୃଷ୍ଟି କରିଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମି ପାର୍ଟି (ଆପ୍) ସମସ୍ତ ବଡ଼ ବଡ଼ ରାଜନୈତିକ ଦଳଙ୍କ ସ୍ବପ୍ନକୁ ଧୂଳିସାତ କରି ପଞ୍ଜାବ ଦଖଲ କରିଛି। ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ମଧ୍ୟ ସଫଳତା ଦୋହରାଇ ବିଜେପି ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଥିବା ଜଣାଇଦେଇଛି। ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳ ଜାତୀୟ ରାଜନୀତି‌େର ଏକ ନୂଆ ଧାରା ସୃଷ୍ଟି ହେଉଥିବାର ସଙ୍କେତ ଦେଉଛି। ରାଜନୀତିର ଯେଉଁ ନୂଆ ପରିଭାଷ‌ା ନେଇ ବିଜେପି ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ ହୋଇଛି ସେଥିରେ ଅନ୍ୟ ଦଳ ଏହାର ସମକକ୍ଷ ହେଲାଭଳି ପରିଲକ୍ଷିତ ହେଉନାହିଁ। ଏହାସହିତ ପଞ୍ଜାବ ନିର୍ବାଚନ ଫଳାଫଳ ମଧ୍ୟ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସଙ୍କେତ ଦେଇଛି। ତାହା‌େହଲା ପାର୍ଟି ଯେତେ ବଡ଼ ହେଉନା କାହିଁକି, ଭୋଟରମାନେ ଥରେ ଧୈର୍ଯ୍ୟଚ୍ୟୁତ ହେଲେ ସେମାନଙ୍କର ଅସନ୍ତୋଷ ନିଆଁରୁ କେହି ବର୍ତ୍ତିପାରିବେ ନାହିଁ।

୫ଟି ବିଧାନସଭା ନିର୍ବାଚନ ମଧ୍ୟରୁ ଉତ୍ତର ପ୍ରଦେଶ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଲୋକସଭାକୁ ସର୍ବାଧିକ ୮୦ ସଭ୍ୟ ପଠାଉଥିବା ଏହି ରାଜ୍ୟର ରାଜନୀତି ଦିଲ୍ଲୀ କ୍ଷମତାକେନ୍ଦ୍ରକୁ ପ୍ରଭାବିତ କରିବାର ଶକ୍ତି ରଖିଛି। ଏଇଥିପାଇଁ ୟୁପିକୁ ନିଜ ହାତରେ ରଖିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଆରମ୍ଭ କରି ଦଳର ସବୁ ବଡ଼ ବଡ଼ ନେତା ସେମାନଙ୍କର ସବୁ ଶକ୍ତି ଏଠାରେ ଖଟାଇବାକୁ ପଛାଇ ନଥିଲେ। ଏବଂ ଏଥିରେ ସଫଳତା ମଧ୍ୟ ମିଳିଛି। ୪୦୩ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପି ମେଣ୍ଟକୁ ଏଥର ୨୭୪ ଆସନ ମିଳିଥିବା ବେଳେ ଏହାକୁ ଟକ୍କର ଦେଇଥିବା ସମାଜବାଦୀ ପାର୍ଟିକୁ ମିଳିଛି ୧୨୪ଟି ଆସନ। କଂଗ୍ରେସ ଏବଂ ବହୁଜନ ସମାଜ ପାର୍ଟି ପ୍ରାୟତଃ ମୂଳପୋଛ ହୋଇଯାଇଛନ୍ତି। ବିଜେପି ୪୧.୨୯ ପ୍ରତିଶତ ଭୋଟ୍ ପାଇଥିବା ବେଳେ ସମାଜବାଦୀ ପାର୍ଟି ୩୨.୦୫ ପ୍ରତିଶତ ଭୋଟ ପାଇଛି। ତେବେ ଏହି ନିର୍ବାଚନର ସବୁଠାରୁ ଉଲ୍ଳେଖନୀୟ ଘଟଣାଟି ହେଉଛି ୫ ବର୍ଷ ମୁଖ୍ୟମନ୍ତ୍ରୀ ଥାଇ କ୍ରମାଗତ ଭାବେ ଦଳକୁ ଦ୍ବିତୀୟ ଥର କ୍ଷମତାସୀନ କରାଇବାରେ ଯୋଗୀ ଅ‌ାଦିତ୍ୟନାଥ ହେଉଛନ୍ତି ୧୯୮୫ ପରେ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ। ଗତ ୩୭ ବର୍ଷ ଧରି କୌଣସି ଦଳ କ୍ରମାଗତ ଦ୍ବିତୀୟ ଥର ମଧ୍ୟ ବିଜୟୀ ହୋଇନଥିଲା। ତେବେ ଗତ ୨୦୧୭ ନିର୍ବାଚନ ତୁଳନାରେ ବିଜେପି ମେଣ୍ଟ ୫୦ ଆସନ କମ୍ ପାଇଥିବ‌ା ବେଳେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିକୁ ୨୦୧୭ ତୂଳନାରେ ୭୦ରୁ ଅଧିକ ଆସନ ମିଳିଛି।

NDTV.com

ଏହି ନିର୍ବାଚନରେ ଆଉ ଯେଉଁ ରାଜ୍ୟଟି ବେଶି ଚର୍ଚ୍ଚାରେ ରହିଛି, ତାହା ହେଉଛି ପଞ୍ଜାବ। ରାଜ୍ୟରେ କଂଗ୍ରେସ ସରକାରକୁ ପରାଜିତ କରି ଐତିହାସିକ ସଫଳତା ହାସଲ କରିଛି ଅରବିନ୍ଦ କେଜ୍ରିୱାଲଙ୍କ ଆପ୍। ଏହି ପାର୍ଟି ରାଜ୍ୟରେ ଶକ୍ତିଶାଳୀ ଦଳ ରୂପେ ପରିଚିତ କଂଗ୍ରେସ, ବିଜେପି ଏବଂ ଅକାଳି ଦଳକୁ ଧୂଳି ଚଟାଇଦେଇଛି। ଆପ୍ ଲହରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ‌ଚନ୍ନି, ପିସିସି ସଭାପତି ସିଦ୍ଧୁ ଏବଂ ଦୁଇ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ଏପରିକି ପ୍ରକାଶ ସିଂହ ବାଦଲ ମଧ୍ୟ ଉଡ଼ି ଯାଇଛନ୍ତି। ପାର୍ଟିକୁ ଏମିତି ସଫଳତା ମିଳିବ ବୋଲି ଆପ୍ ନେତାମାନେ ମଧ୍ୟ କଳ୍ପନା କରିନଥିଲେ। ଜାତୀୟ ରାଜନୀତିକୁ ଏହି ଫଳାଫଳ ଯେଉଁ ବାର୍ତ୍ତାଟି ‌େଦଇଛି, ତାହା‌େହଲା ଲୋକମାନଙ୍କ କଲ୍ୟାଣ ପାଇଁ କାମ ନକଲେ ଅସନ୍ତୋଷର ନିଆଁରେ ଭସ୍ମ ହୋଇଯିବେ। ୧୧୭ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ଆପକୁ ୯୨ଟି ଆସନ ମିଳିଥିବା ବେଳେ କ୍ଷମତାଚ୍ୟୁତ କଂଗ୍ରେସକୁ ୧୮ଟି‌େର ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅନ୍ୟ ରାଜ୍ୟରେ ଭଲ ପ୍ରଦର୍ଶନ କରିଥିବା ବିଜେପି ମଧ୍ୟ ଲୋକମାନଙ୍କ ଅସନ୍ତୋଷରୁ ରକ୍ଷା ପାଇନାହିଁ। ବାଦଲ ପରିବାର ମଧ୍ୟ ରାଜ୍ୟ ରାଜନୀତିରେ ନିଶ୍ଚିହ୍ନ ହେବାକୁ ବସିଲାଣି।

ଉତ୍ତର‌ାଖଣ୍ଡରେ ମଧ୍ୟ ବିଜେପିର ପ୍ରଦର୍ଶନ ଉଲ୍ଳେଖନୀୟ ରହିଛି। ୭୦ ଆସନ ମଧ୍ୟରୁ ବିଜେପିକୁ ୪୮ଟି ଆସନ ମିଳିଥିବା ବେ‌େଳ କଂଗ୍ରେସକୁ ମିଳିଛି ୧୮। ରାଜ୍ୟରେ ବିଜେପି କ୍ରମାଗତ ଦ୍ବିତୀୟ ଥର ବିଜୟୀ ହେବାର ରେକର୍ଡ କରିଛି। ତେବେ ନିର୍ବାଚନରେ ଦଳର ନେତୃତ୍ବ ନେଇଥିବା ଯୁବ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପରାଜିତ ‌ହୋଇଛନ୍ତି। ଗୋଆରେ ‌ ବିଜେପି ସର୍ବାଧିକ ୨୦ ଆସନ ପାଇ କ୍ଷମତା ବଜାୟ ରଖିବାରେ ସଫଳ ହୋଇଥିବା ବେଳେ ମଣିପୁରରେ ମଧ୍ୟ ଦଳକୁ ସ୍ପଷ୍ଟ ବହୁମତ ମିଳିଛି। ୬୦ ଆସନ ମଧ୍ୟରୁ ବିଜେପିକୁ ୩୨ଟି ଆସନ ମିଳିଛି।

ଏହି ୫ ରାଜ୍ୟ ନିର୍ବ‌ାଚନରେ କଂଗ୍ରେସର ଅବସ୍ଥା ସବୁଠାରୁ ଶୋଚନୀୟ ରହିଛି। ପଞ୍ଜାବରେ କ୍ଷମତା ହରାଇଥିବା କଂଗ୍ରେସ ଉତ୍ତରାଖଣ୍ଡ ଓ ଗୋଆରେ କିଛି ପରିମାଣରେ ନିଜର ସ୍ଥିତିକୁ ଜାହିର କରିଥିବା ବେ‌େଳ ମଣିପୁରରେ ଶୋଚନୀୟ ଭାବେ ପରାଜିତ ହୋଇଛି। ଉତ୍ତର ପ୍ରଦେଶ ଦାୟିତ୍ବରେ ପ୍ରିୟଙ୍କା ଥିଲେ ମଧ୍ୟ ରାଜ୍ୟ ନିର୍ବାଚନରେ ଗାନ୍ଧି ପରିବାରର ଯାଦୁ କାମ ଦେଲାନାହିଁ। ରାଜ୍ୟରେ ପାର୍ଟି ପ୍ରାୟ ମୂଳପୋଛ ହୋଇଯାଇଛି। ମାୟାବତୀଙ୍କ ବିଏସପି ଅବସ୍ଥା ମଧ୍ୟ କଂଗ୍ରେସ ଭଳି ହୋଇଛି।

ଏକ୍‌ଜିଟ୍‌ ପୋଲ୍‌: ପୂର୍ବାନୁମାନ ଥିଲା କେତେ, ପାଇଲେ କେତେ

ସମ୍ବନ୍ଧିତ ଖବର