ନୂଆଦିଲ୍ଲୀ: ୩ ଉତ୍ତରପୂର୍ବ ରାଜ୍ୟ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡରୁ ୨୦୨୩ର ବ୍ୟସ୍ତବହୁଳ ନିର୍ବାଚନ ଋତୁ ଆରମ୍ଭ ହୋଇଛି। ପଛକୁ ପଛ କର୍ଣ୍ଣାଟକ, ମିଜୋରାମ, ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ର‌ଦେଶ ଏବଂ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅଛି। କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ବି ନିର୍ବାଚନ ହୋଇପାରେ। ତ୍ରିପୁରାରେ ବିଜେପି କ୍ଷମତାରେ ଅଛି ଏବଂ ନାଗାଲାଣ୍ଡ ଓ ମେଘାଳୟରେ ଏହା ଶାସକ ମେଣ୍ଟରେ ରହିଛି।

Advertisment

ତ୍ରିପୁରା: ତ୍ରିପୁରା ବିଧାନସଭାରେ ମୋଟ୍‌ ଆସନ ସଂଖ୍ୟା ୬୦। ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ତ୍ରିପୁରାରେ ୩୩ ଆସନରେ ଜିତିଥିଲା, ଆଇପିଏଫ୍‌ଟି (ଇଣ୍ଡିଜିନିୟସ ପିପୁଲ୍ସ ଫ୍ରଣ୍ଟ ଅଫ ତ୍ରିପୁରା) ୪, ସିପିଏମ୍‌ (୧୫) ଏବଂ କଂଗ୍ରେସ ଗୋଟିଏ ଆସନରେ ଜିତିଥିଲା। ୬ଟି ଆସନ ଖାଲି ପଡ଼ିଥିଲା। ୨୦୧୮ରେ ବିଜେପି ତ୍ରିପୁରାରେ ଦୀର୍ଘ ବର୍ଷର ବାମ ଶାସନର ଅନ୍ତ ଘଟାଇଥିଲା। ବିପ୍ଳବ ଦେବ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ୨୦୨୨ ମେ’ରେ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ମାଣିକ ଶାହଙ୍କୁ ମୁଖ୍ୟମନ୍ତ୍ରୀ କଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିକଟରେ ତ୍ରିପୁରା ଗସ୍ତ କରି ଦଳ ପାଇଁ ସମର୍ଥନ ଲୋଡ଼ିବାକୁ ‘ଜନ ବିଶ୍ବାସ ଯାତ୍ରା’ କରିଥିଲେ। ଅନ୍ୟପକ୍ଷେ ବାମଦଳ ଏବଂ କଂଗ୍ରେସ ତ୍ରିପୁରା‌ରେ ଏକାଠି ହୋଇଛନ୍ତି। ଟିଏମ୍‌ସି ମଧ୍ୟ ରାଜ୍ୟରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଚେଷ୍ଟା କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତ୍ରିପୁରା ଯାଇ ପ୍ରଚାର ଆରମ୍ଭ କରି ସାରିଛନ୍ତି।

ମେଘାଳୟ: ନେସନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି)ସୁପ୍ରିମୋ କନରାଡ଼ ସାଙ୍ଗମା ହେଉଛନ୍ତି ମେଘାଳୟ ମୁଖ୍ୟମନ୍ତ୍ରୀ। ୨୦୧୮ ମେଘାଳୟ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ବୃହତ୍ତମ ଦଳ ହୋଇଥିଲା। କିନ୍ତୁ ୬୦ ଆସନ ବିଶିଷ୍ଟ ଗୃହରେ ୨୧ ଆସନ ସହ କଂଗ୍ରେସ ମ୍ୟାଜିକ ନମ୍ବର ଛୁଇଁ ପାରିନଥିଲା। ଏନ୍‌ପିପି ୨୦ ଆସନରେ ଜିତିଥିବାବେଳେ ୟୁଡିପି (ୟୁନାଇଟେଡ ଡିମୋକ୍ରାଟିକ ପାର୍ଟି) ୮, ପିଡିଏଫ୍‌ (ପିପୁଲ୍ସ ଡିମୋକ୍ରାଟିକ ପାର୍ଟି) ୨ ଏବଂ ବିଜେପି ୨ ଆସନ ଜିତିଥିଲା। ବିରୋଧୀ ଟିଏମ୍‌ସିକୁ ୯ ଆସନ ମିଳିଥିଲା। ବିଜେପି ୨ଟି ଆସନରେ ଜିତି ମଧ୍ୟ ରାଜ୍ୟ‌ରେ ସରକାର ଗଠନ ପାଇଁ ଏନ୍‌ପିପିକୁ ସମର୍ଥନ କରି କରି ନିର୍ଣ୍ଣାୟକ ଭୂମିକା ନେଇଥିଲା। ଏବେ ବିଜେପି ଏବଂ ଏନ୍‌ପିପି ସମ୍ପର୍କରେ ଫାଟ ଦେଖାଦେଇଛି। ସାଙ୍ଗମା ନିକଟରେ କହିଥିଲେ ଯେ ୨୦୨୩ରେ ତାଙ୍କ ଦଳ ସମସ୍ତ ଆସନରେ ଏକାକୀ ନିର୍ବାଚନ ଲଢ଼ିବ। ଉଲ୍ଲେଖଯୋଗ୍ୟ, ଏନ୍‌ପିପିରୁ ୨ ଜଣ ବିଧାୟକ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି। ବି‌ଜେପି ଚଳିତ ଥର ମେଣ୍ଟ ସରକାରର ନେତୃତ୍ବ ନେବାପାଇଁ ଲକ୍ଷ୍ୟ ରଖିଛି।

ନ‌ାଗାଲାଣ୍ଡ: ନାଗାଲାଣ୍ଡ ବିଧାନସଭାରେ ଆସନ ସଂଖ୍ୟା ୬୦। ଶାସକ ମେଣ୍ଟ ୟୁଡିଏ (ୟୁନାଇଟେଡ ଡିମୋକ୍ରାଟିକ ଆଲିଆନ୍ସ)ରେ ଏନ୍‌ଡିପିପି (ନେସନାଲିଷ୍ଟ ଡିମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି), ବିଜେପି ଏବଂ ଏନ୍‌ପିଏଫ୍‌ (ନାଗା ପିପୁଲ୍ସ ଫ୍ରଣ୍ଟ୍‌) ରହିଛନ୍ତି। ଏନ୍‌ଡିପିପିର ନିଫିୟୁ ରିଓ ହେଉଛନ୍ତି ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ। ୨୦୧୮ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଗଠିତ ଏନ୍‌ଡିପିପି-ବିଜେପି ମେଣ୍ଟ ନାଗାଲାଣ୍ଡରେ ସୁଦୃଢ଼ ହେବାରେ ଲାଗିଛି। ୨୦୧୮ରେ ଏନ୍‌ଡିଏକୁ ୨୬ ଆସନ, ଏନ୍‌ଡିପିପିକୁ ୧୮, ବିଜେପିକୁ ୧୨,ଏନ୍‌ପିପିକୁ ୨, ଜେଡିୟୁକୁ ୧ ଆସନ ମିଳିଥିବା ବେଳେ ଜଣେ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଜିତିଥିଲେ। ଚଳିତ ନିର୍ବାଚନରେ ବିଜେପି ୨୦ ଆସନରେ ଜିତିବା ପାଇଁ ଲକ୍ଷ୍ୟ ରଖିଛି। ଏହା ଅନ୍ୟ ୪୦ ଆସନରେ ଏନ୍‌ଡିପିପି ପ୍ରାର୍ଥୀଙ୍କୁ ସମର୍ଥନ କରିବ।