ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ପ୍ରକ୍ରିୟା ଗତ ୩୦ ତାରିଖରେ ଶେଷ ହୋଇଥିବା ବେଳେ ଆସନ୍ତାକାଲି (ରବିବାର) ୪ଟି ରାଜ୍ୟରେ ଭୋଟ୍ ଗଣତି ହେବ ଏବଂ ଫଳାଫଳ ଆସିବ। ଆସନ୍ତାକାଲି ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲେଙ୍ଗାନା ଭୋଟ୍ ଗଣନା କରାଯିବ। ଅନ୍ୟପକ୍ଷରେ ମିଜୋରାମରେ ଭୋଟ୍ ଗଣତି ସୋମବାର ହେବ। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ ଏବଂ ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିବାର ସମ୍ଭାବନା ରହିଛି। ମଧ୍ୟପ୍ରଦେଶରେ ୨୩୦ ଆସନ ପାଇଁ ୨୫୩୩ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ରାଜସ୍ଥାନରେ ୧୯୯ ଆସନରେ ୧୮୦୦, ଛତିଶଗଡ଼ରେ ୯୦ ଆସନରେ ୧୧୮୧ ଏବଂ ତେଲେଙ୍ଗାନାରେ ୧୧୯ ଆସନରେ ୨୨୯୦ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ଏହି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ବିଶେଷ ଗୁରୁତ୍ବ ବହନ କରୁଛି। ସମସ୍ତ ରାଜନୈତିକ ଦଳ ଏହାକୁ ସମ୍ମାନର ପ୍ରଶ୍ନ ଭାବେ ନେଉଛନ୍ତି।
ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଥିବା ବେଳେ ବିଭିନ୍ନ ସଂସ୍ଥା କରିଥିବା ଏକ୍ଜିଟ୍ ପୋଲ ସର୍ଭେ ଅନୁଯାୟୀ ମଧ୍ୟ ପ୍ରଦେଶରେ ବିଜେପି କ୍ଷମତା ବଜାୟ ରଖିପାରେ। ରାଜସ୍ଥାନରେ କଂଗ୍ରେସ ହାତରୁ ବିଜେପି କ୍ଷମତା ଛଡ଼ାଇପାରେ ବୋଲି ଏମାନେ ପୂର୍ବାନୁମାନ କରିଛନ୍ତି। ଛତିଶଗଡ଼ରେ କଂଗ୍ରେସ କ୍ଷମତାରେ ରହିବ ବୋଲି ପ୍ରାୟ ସମସ୍ତ ଏକଜିଟ୍ ପୋଲ୍ ସର୍ଭେରୁ ଜଣାପଡ଼ୁଛି। କିନ୍ତୁ କଡ଼ା ମୁକାବିଲା ନିଶ୍ଚିତ। ତେବେ ସମସ୍ତଙ୍କ ଆଖି ତେଲେଙ୍ଗାନା ଉପରେ ରହିବ। ତେଲେଙ୍ଗାନା ରାଜ୍ୟ ଗଠନ ହେବା ଦିନରୁ ୧୦ ବର୍ଷ ହେଲା କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏଥର କ୍ଷମତାଚ୍ୟୁତ ହୋଇପାରନ୍ତି ବୋଲି କେତେକ ଏକଜିଟ୍ ପୋଲ୍ରୁ ଜଣାପଡ଼ିଛି। ତାଙ୍କ ଦଳ ବିଆରଏସ୍କୁ କଂଗ୍ରେସ କ୍ଷମତାଚ୍ୟୁତ କରିପାରେ ବୋଲି ଏହି ସର୍ଭେ କହୁଛି। କିନ୍ତୁ ବାସ୍ତବ ଚିତ୍ର କାଲି ଜଣାପଡ଼ିବ। ଇତିମଧ୍ୟରେ କଂଗ୍ରେସ ଏହାର ନବନିର୍ବାଚିତ ବିଧାୟକମାନଙ୍କୁ ଏକାଠି ରଖିବା ଲାଗି ପ୍ରସ୍ତୁତି ଚଳାଇଛି। ପାର୍ଟିର ବରିଷ୍ଠ ନେତାମାନେ ହାଇଦ୍ରାବାଦ ଯାଇ ନିଜ ବିଧାୟକମାନଙ୍କୁ ଜଗିବା ଲାଗି ଯୋଜନା କରିଥିବା ବେଳେ ଆଉ କେତେକ ନେତା ଭୋପାଳ, ଜୟପୁର ଏବଂ ରାୟପୁର ଯାଇଛନ୍ତି।