ନୂଆଦିଲ୍ଲୀ: ସ୍ବାଧୀନତା ପରେ ବିହାରରେ କଂଗ୍ରେସର ପ୍ରଥମ ସିଡବ୍ଲ୍ୟୁସି (କଂଗ୍ରେସ ୱାର୍କିଂ କମିଟି) ବୈଠକ ଅନୁଷ୍ଠିତ ହୋଇଛି। ସିଡବ୍ଲ୍ୟୁସି ବୈଠକରେ ସ୍ଥାୟୀ ଓ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ସାମିଲ ହୋଇଛନ୍ତି। ଏଥିସହ ଦଳୀୟ ମୁଖ୍ୟମନ୍ତ୍ରୀ, ପ୍ରଦେଶ କଂଗ୍ରେସ କମିଟି ସଭାପତି ଏବଂ ସିଏଲ୍‌ପି (କଂଗ୍ରେସ ବିଧାୟକ ଦଳ) ନେତା ଯୋଗ ଦେଇଛନ୍ତି।  ପାଟନା ସ୍ଥିତ ସଦାକତ ଆଶ୍ରମରେ ଆଜି ପୂର୍ବାହ୍ନ ୧୦.୩୦ରେ ବୈଠକ ଆରମ୍ଭ ହୋଇଥିଲା। ଦଳୀୟ ନେତାମାନେ କହିଛନ୍ତି ଯେ ପ୍ରଥମ ଥର ପାଇଁ କଂଗ୍ରେସ ଦଳର ଶୀର୍ଷ ନେତାମାନେ ବିହାରରେ ଏକ ନି‌ଷ୍ପତ୍ତି ନିର୍ଣ୍ଣୟକାରୀ ବୈଠକ କରିଛନ୍ତି।

Advertisment

ବିଦେଶ ନୀତି, ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଲେ ଖଡ଼୍‌ଗେ

ବୈଠକ ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପାଟନା ସ୍ଥିତ ରାଜ୍ୟ ମୁଖ୍ୟାଳୟରେ ଦଳର ପତାକା ଉତ୍ତୋଳନ କରିଥିଲେ। ଖଡ଼ଗେ ତାଙ୍କ ଭାଷଣରେ  କହିଛନ୍ତି, ଦେଶ ଉଭୟ ଅନ୍ତର୍ଜାତୀୟ ଏବଂ ଜାତୀୟ ସ୍ତରରେ ଅତି ଜଟିଳ ସମୟ ଦେଇ ଗତି କରୁଥିବାବେଳେ ଆମେ ଏହି ବୈଠକ କରୁଛୁ।  ଖଡ଼ଗେ କହିଛନ୍ତି,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାରର ରଣନୀତିକ ବିଫଳତାର ଫଳସ୍ବରୂପ ଅନ୍ତର୍ଜାତୀୟ ସ୍ତରରେ ସମସ୍ୟା ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ଯେଉଁମାନଙ୍କୁ ‘ମୋ ବନ୍ଧୁ’ କହୁଥିଲେ ଆଜି ସେମାନେ ଦେଶକୁ ‌ଅନେକ ସମସ୍ୟା ମଧ୍ୟକୁ ଠେଲି ଦେଇଛନ୍ତି।  ଖଡ଼‌ଗେ ନିର୍ବାଚନ କମିସନଙ୍କ ସ୍ବଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।  ସିଡବ୍ଳୁସି ବୈଠକରେ ଯୋଗ ଦେଇଥିବା ଅନ୍ୟ ବରିଷ୍ଠ ନେତାମାନେ ହେଲେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କୋଷାଧ୍ୟକ୍ଷ ଅଜୟ ମାକେନ, ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ଜୟରାମ ରମେଶ, ସଚିନ ପାଇଲଟ ଏବଂ ବିହାର କଂଗ୍ରେସ ମୁଖ୍ୟ ରାଜେଶ କୁମାର।  

ସୂଚନାନୂଯାୟୀ,  ବୈଠକରେ ବିହାର ନିର୍ବାଚନ ଉପରେ ମୁଖ୍ୟ ଫୋକସ୍‌ ରହିଛି। ଦଳର ନିର୍ବାଚନ ପ୍ରଚାର ଏବଂ  ବିଜେପି ଉପରେ ‘ଭୋଟ୍‌ ଚୋରି’ ଆକ୍ରମଣ କିଭଳି ଅଧିକ ତୀବ୍ର କରାଯିବ ସେନେଇ ଏହି ବୈଠକରେ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।  ଇତିମଧ୍ୟରେ ବିଜେପି କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ଇଣ୍ଡି ମେଣ୍ଟକୁ ସମାଲୋଚନା କରିଛି। ବିଜେପି ନେତା ଅମିତ ମାଲବ୍ୟ କହିଛନ୍ତି, ବିହାର ଏବଂ ଏହାର ଜନସାଧାରଣଙ୍କୁ ଅପମାନିତ କରିଥିବା ଲୋକମାନେ ବୈଠକରେ ଯୋଗ ଦେଇଛନ୍ତି।   ଆସନ ବୁଝାମଣାକୁ ନେଇ ଇଣ୍ଡି ମେଣ୍ଟ‌ରେ ବିବାଦ ଦେଖାଦେଇଥିବା ବେଳେ ଏହାର ନେତାମାନେ ପରସ୍ପର ବିରୋଧୀ ରଣନୀତିରେ କାମ କରୁଛନ୍ତି ବୋଲି ରାଜ୍ୟ ବିଜେପି ନେତାମାନେ କହିଛନ୍ତି।