ସରିଲା ବିଧାନସଭା ନିର୍ବାଚନ, ଆସିଲା ବୁଥ୍‌ ବାହୁଡ଼ା ମତ

ସପ୍ତମ ପର୍ଯ୍ୟାୟରେ ୫୪% ମତଦାନ

ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ଅତ୍ୟନ୍ତ ଗୁରୁତ୍ବବହନ କରୁଥିବା ରାଜ୍ୟ ଉତ୍ତର ପ୍ରଦେଶ ସମେତ ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ବିଧାନସଭା ପାଇଁ ନିର୍ବାଚନ ଶେଷ ହୋଇଛି। ୪୦୩ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ସୋମବାର ସପ୍ତମ ପର୍ଯ୍ୟାୟରେ ୫୪ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଉତ୍ତର ପ୍ରଦେଶରେ ସୋମବାର ହୋଇଥିବା ସପ୍ତମ ପର୍ଯ୍ୟାୟ ଭୋଟରେ ସଂଧ୍ୟା ୫ଟା ସୁଦ୍ଧା ୫୪.୧୮ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। ୫୪ଟି ଯାକ ବିଧାନସଭା ୯ଟି ଜିଲ୍ଲାରେ ରହିଛି। ତେବେ ଚଳିତପର୍ଯ୍ୟାୟ ନିର୍ବାଚନରେ ସମସ୍ତଙ୍କ ଧ୍ୟାନ ବାରଣାସୀ ଉପରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ଲୋକସଭାର ପ୍ରତିନିଧିତ୍ବ କରୁଛନ୍ତି। ୨୦୧୭ ନିର୍ବାଚନରେ ବିଜେପି ମେଣ୍ଟ ବାରଣାସୀରେ ସମସ୍ତ ୮ଟି ଯାକ ବିଧାନସଭା ଆସନରେ ବିଜୟୀ ହୋଇଥିଲା। ମଣିପୁରର ୬୦ ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ, ପଞ୍ଜାବର ୧୧୭ ଆସନ, ଉତ୍ତରାଖଣ୍ଡର ୭୦ ଆସନ ଏବଂ ଗୋଆର ୪୦ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା। ସବୁ ପ୍ରାର୍ଥୀଙ୍କ ‌ଭାଗ୍ୟ ବର୍ତ୍ତମାନ ଭୋଟବାକ୍ସ ମଧ୍ୟରେ ବନ୍ଦ ହୋଇ ରହିଛି। ଆସନ୍ତା ୧୦ ତାରିଖରେ ଏସବୁର ଫଳାଫଳ ଘୋଷଣା ହେବ।

ଉପରୋକ୍ତ ୫ଟି ରାଜ୍ୟ ମଧ୍ୟରୁ ବିଜେପି ୪ଟି ରାଜ୍ୟରେ କ୍ଷମତାରେ ଥିବାବେଳେ କଂଗ୍ରେସ ଗୋଟିଏ ରାଜ୍ୟ ପଞ୍ଜାବରେ ଶାସନ କରୁଛି। ୨୦୧୭ ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶର ୪୦୩ଟି ଆସନ ମଧ୍ୟରୁ ୩୧୨ଟି ଆସନରେ ଜିତି ସରକାର ଗଢ଼ିଥିଲା। ଏଠାରେ ସମାଜବାଦୀ ପାର୍ଟି ୪୭, ବହୁଜନ ସମାଜ ପାର୍ଟି ୧୯ ଏବଂ କଂଗ୍ରେସ ୭ଟି ଆସନରେ ଜିତିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ଉତ୍ତର ପ୍ରଦେଶରେ ବିଜେପି ଏଥର ମଧ୍ୟ ନିର୍ବାଚନ ଲଢ଼ୁଛି। ପଞ୍ଜାବରେ ୧୧୭ ଆସନ ମଧ୍ୟରୁ କଂଗ୍ରେସ ୭୭ଟି ଆସନରେ ଜିତିଥିବାବେଳେ ଆପ୍‌ ୨୦, ଅକାଳୀ ଦଳ ୧୫ ଏବଂ ବିଜେପି ୩ଟି ଆସନରେ ଜିତିଥିଲା। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହଙ୍କ ନେତୃତ୍ବରେ କଂଗ୍ରେସ ଏଠାରେ କ୍ଷମତାକୁ ପୁଣିଥରେ ଫେରିବା ପାଇଁ ଉଦ୍ୟମ ଚଳାଇଛି। ଉତ୍ତରାଖଣ୍ଡରେ ବିଜେପି ପୁଷ୍କର ସିଂହ ଧାମିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛି। ୨୦୧୭ରେ ୭୦ ଆସନ ମଧ୍ୟରୁ ବିଜେପି ୫୬ଟି ଏବଂ କଂଗ୍ରେସ ୧୧ଟି ଆସନରେ ଜିତିଥିଲା। ମଣିପୁରରେ ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କ ବିଜେପି ସରକାର ପୁଣିଥରେ କ୍ଷମତାକୁ ଫେରିବା ପାଇଁ ଉଦ୍ୟମ ଚଳାଇଛି। ୨୦୧୭ ନିର୍ବାଚନରେ ବିଜେପି ମୋଟ ୬୦ଟି ଆସନରୁ ୨୧ଟି ଆସନରେ ଜିତିଥିଲାବେଳେ କଂଗ୍ରେସ ୨୮ଟି ଆସନରେ ଜିତିଥିଲା। ଗୋଆରେ ମଧ୍ୟ ବିଜେପି ପ୍ରମୋଦ ସାୱନ୍ତଙ୍କୁ ଆଗରେ ରଖି ବିଜେପି ଦ୍ବିତୀୟ ଥର କ୍ଷମତା ନିଜ ପାଖରେ ରଖିବାକୁ ଉଦ୍ୟମ ଚଳାଇଛି। ୨୦୧୭ ନିର୍ବାଚନରେ ଗୋଆରେ ବିଜେପି ୧୩ଟି ଆସନରେ ଜିତିଥିବାବେଳେ କଂଗ୍ରେସ ୧୭ଟି ଆସନରେ ଜିତିଥିଲା।

ସମ୍ବନ୍ଧିତ ଖବର