ବିଧାନସଭା ନିର୍ବାଚନ: ୟୁପି‌ ତୃତୀୟ ପର୍ଯ୍ୟାୟ ଓ ପଞ୍ଜାବ‌ରେ ପ୍ରଚାର ଶେଷ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଏବଂ ପଂଜାବ ବିଧାନସଭାର ସମସ୍ତ ଆସନ ପାଇଁ ନିର୍ବାଚନ ପ୍ରଚାର ଆଜି ଶେଷ ହୋଇଛି। ଉତ୍ତରପ୍ରଦେଶରେ ୧୬ ଜିଲ୍ଲାର ୫୯ ନିର୍ବାଚନମଣ୍ଡଳୀରେ ଆସନ୍ତା ୨୦ ତାରିଖରେ ଭୋଟ୍‌ ଗ୍ରହଣ ହେବ। ତୃତୀୟ ପର୍ଯ୍ୟାୟରେ ମୋଟ୍‌ ୬୨୭ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ୨.୧୫ କୋଟିରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଉତ୍ତରପ୍ରଦେଶର ହାଥରାସ, ଫିରୋଜାବାଦ, ଏଟା, କାସଗଂଜ, ମୈନପୁରୀ, ଫାରୁଖାବାଦ, କନୌଜ, ଏଟାୱା, ଔରେୟା‌, କାନପୁର ଗ୍ରାମୀଣ, କାନପୁର ନଗର, , ଲଲିତପୁର, ହମିରପୁର ଏବଂ ମହୋବା ଜିଲ୍ଲାର ୫୯ ଆସନରେ ଭୋଟ୍‌ ଅଛି। ତୃତୀୟ ପର୍ଯ୍ୟାୟରେ କରହଲ୍‌ ବିଧାନସଭା ଆସନରୁ ମଧ୍ୟ ଭୋଟ୍‌ ଗ୍ରହଣ ହେବ। ଏହି ଆସନରେ ସପା ମୁଖ୍ୟ ଅଖିଳେଶ ଯାଦବ ନିର୍ବାଚନ ଲଢ଼ୁଛନ୍ତି। ବିଜେପି କେନ୍ଦ୍ରମନ୍ତ୍ରୀ ଏସ୍‌ପି ସିଂହ ବାଘେଲଙ୍କୁ ଅଖିଳେଶଙ୍କ ବିରୋଧରେ ପ୍ରାର୍ଥୀ କରିଛି। ଉକ୍ତ ଆସନଟି ଉଭୟ ସପା ଏବଂ ବିଜେପି ପାଇଁ ସମ୍ମାନର ପ୍ରସଙ୍ଗ। ତେଣୁ କରହଲ୍‌ ଆସନ ଉପରେ ସମସ୍ତଙ୍କ ନଜର ରହିଛି। ପଂଜାବରେ ମଧ୍ୟ ସମସ୍ତ ୧୧୭ ଆସନରେ ଆସନ୍ତା ୨୦ରେ ଭୋଟ୍‌ ଗ୍ରହଣ ହେବ। ଆଜି ସନ୍ଧ୍ୟାରେ ପଂଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି।
ଆଜି କଂଗ୍ରେସ ପଂଜାବରେ ନିର୍ବାଚନୀ ଇସ୍ତାହାର ଜାରି କରିଛି। କଂଗ୍ରେସ ମହିଳାଙ୍କ ପାଇଁ ଆର୍ଥିକ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛି ଏବଂ ୧ ଲକ୍ଷ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛି। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, ଆପ୍‌ ନେତା ଅରବିନ୍ଦ କେଜ୍ରିୱାଲ, ଭଗୱନ୍ତ ମାନ ଏବଂ ଶିରୋମଣି ଅକାଳି ଦଳ ନେତା ବିକ୍ରମ ସିଂହ ମାଜିଥିଆ ବିଭିନ୍ନ ଅଂଚଳରେ ରୋଡ୍‌ ସୋ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପଟିଆଲାରେ ରୋଡ୍‌ସୋ କରିଛନ୍ତି।

ଚତୁର୍ଥ ପର୍ଯ୍ୟାୟରେ ଅପରାଧୀଙ୍କ ଅପେକ୍ଷା ‌ଅଧିକ କୋଟିପତି
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ତାଲିକାରେ କୋଟିପତି ଓ ଅପରାଧୀଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଏହି ପର୍ଯ୍ୟାୟରେ, ଅପରାଧୀମାନଙ୍କ ଅପେକ୍ଷା ଅଧିକ କୋଟିପତି ପ୍ରାର୍ଥୀ ଅଛନ୍ତି। ଆସନ୍ତା ୨୭ ତାରିଖରେ ୪ର୍ଥ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୧୬ଟି ଜିଲ୍ଲାର ୫୯ଟି ବିଧାନସଭା ଆସନରୁ ୬୨୪ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଆସୋସିଏସନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର୍‌) ମୋଟ ୬୨୪ ପ୍ରାର୍ଥୀଙ୍କ ମଧ୍ୟରୁ ୬୨୧ ପ୍ରାର୍ଥୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଘୋଷଣାପତ୍ରକୁ ଆଧାର କରି ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ, ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତ ପ୍ରାର୍ଥୀଙ୍କ ମଧ୍ୟରୁ ୧୬୭ ବା ୨୭% ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଅନ୍ୟପକ୍ଷରେ ଚତୁର୍ଥ ପର୍ଯ୍ୟାୟରେ ୬୨୧ ପ୍ରାର୍ଥୀଙ୍କ ମଧ୍ୟରେ ୩୭% କୋଟିପତି। ଏହି ପର୍ଯ୍ୟାୟରେ ବିଏସ୍‌ପି ୭୫%, ବିଜେପି ୫୦ ପ୍ରତିଶତ ଏବଂ ଏସ୍‌ପି ୮୪% କୋଟିପତିଙ୍କୁ ଟିକେଟ୍ ଦେଇଛି। କଂଗ୍ରେସ ଦ୍ୱାରା ଦିଆଯାଇଥିବା ୫୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୮ ପ୍ରାର୍ଥୀଙ୍କର କୋଟିଏରୁ ଅଧିକ ସମ୍ପତ୍ତି ଅଛି। କଂଗ୍ରେସର ୩୧ ଜଣ, ସପାର ୩୦ ଜଣ, ବିଏସ୍‌ପିର ୨୬ ଏବଂ ବିଜେପିର ୨୫ ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି।

ପଂଜାବରେ ଆପ୍‌କୁ ହରାଇବାପାଇଁ କଂଗ୍ରେସ,ବିଜେପି ହାତ ମିଳାଇଛନ୍ତି: କେଜ୍ରିୱାଲ
ନୂଆଦିଲ୍ଲୀ: ପଂଜାବରେ ଆପ୍‌ (ଆମ୍‌ ଆଦ୍‌ମୀ ପାର୍ଟି)କୁ ହରାଇବାପାଇଁ କଂଗ୍ରେସ ଏବଂ ବିଜେପି ହାତ ମିଳାଇଛନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଅଭିଯୋଗ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଆପ୍‌ ମୁଖ୍ୟ କହିଛନ୍ତି-‘ପଂଜାବରେ ଆପ୍‌କୁ ହରାଇବାପାଇଁ ଏବେ ବିଜେପି ଏବଂ କଂଗ୍ରେସ ଏକାଠି ହୋଇଛନ୍ତି। ଯଦି ମତେ ଆତଙ୍କବାଦୀ ବୋଲି କୁହାଯାଉଛି ତା’ହେଲେ ମୁଁ ବିଶ୍ବର ସବୁଠାରୁ ‘ସ୍ବିଟ୍‌’ ଆତଙ୍କବାଦୀ ଯିଏ କି ହସ୍ପିଟାଲ, ସ୍କୁଲ୍‌ ଏବଂ ରାସ୍ତା ନିର୍ମାଣ କରିଛି। ଯଦି ମୁଁ ଆତଙ୍କବାଦୀ ତା’ହେଲେ ମତେ ଗିରଫ କରାଯାଉ। ଦିଲ୍ଲୀ ପୁଲିସ, ଆୟକର ବିଭାଗ ଏବଂ ଅନ୍ୟ ସଂସ୍ଥା ଗତ ୭ ବର୍ଷ ତଳେ ମୋ ଅଫିସ୍‌ ଏବଂ ବାସଭବନରେ ଚଢ଼ଉ କରିଥିଲେ କିନ୍ତୁ କିଛି ମିଳିଲାନି। ତେବେ ହଠାତ୍‌ ଜଣେ କବି (କୁମାର ବିଶ୍ବାସ) ଉଠିଲେ ଏବଂ ମୋ ବିରୋଧରେ କବିତା ଗାଇଲେ। ଏତେବଡ଼ ଆତଙ୍କବାଦୀକୁ ଧରିଥିବା କବିକୁ ଧନ୍ୟବାଦ।’ କେଜ୍ରିୱାଲ୍‌ ତାଙ୍କ ଦଳର ପୂର୍ବତନ ସହକର୍ମୀ ଏବଂ କବି କୁମାର ବିଶ୍ବାସ ଯେଉଁ ସମୟ‌ରେ ଅଭିଯୋଗ କରିଛନ୍ତି ସେହି ସମୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ କେଜ୍ରିୱାଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିବା କବି କୁମାର ବିଶ୍ବାସଙ୍କୁ ଏହି ମାମଲାରେ ଧମକ ମିଳୁଥିବାରୁ କେନ୍ଦ୍ର ସରକାର ତାଙ୍କୁ ସୁରକ୍ଷା ଉପଲବ୍ଧ କରାଇବାକୁ ଯୋଜନା କରୁଛନ୍ତି।

ସମ୍ବନ୍ଧିତ ଖବର