କର୍ଫ୍ୟୁ ସମୟରେ ସରକାରୀ ଗାଡି ନେଇ ମଦ କିଣୁଥିଲେ ବିଧାୟକଙ୍କ ସହାୟକ, ଭିଡିଓ କରି ଲୋକ କରିଦେଲେ ଭାଇରାଲ

ଚଣ୍ଡୀଗଡ଼: କରୋନା ମହାମାରୀର ସଂକ୍ରମଣକୁ ଭାଙ୍ଗିବା ପାଇଁ ସରକାର କର୍ଫ୍ୟୁ ଜାରି କରିଥିବାବେଳେ ମଦ କିଣିବାକୁ ବ୍ୟବହାର କରାଗଲା ସରକାରୀ ଗାଡି | ଆଉ ଏହି ଘଟଣା ବାବଦରେ ଜଣାପଡିବା ପରେ ଏବେ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ବିଧାୟକ ରୁପିନ୍ଦର କୌର ରୁବି ଖବରର ଶିରୋନାମାକୁ ଆସିଯାଇଛନ୍ତି | ମିଳିଥିବା ସୂଚନା ମୁତାବକ ଗତ ଶୁକ୍ରବାର ଦିନ, ଯେତେବେଳେ ପଂଜାବର ଭଟିଣ୍ଡା ସହରରେ କର୍ଫ୍ୟୁ ଲାଗୁ କରାଯାଇଥିଲା, ସେହି ଦିନ ସକାଳ ପ୍ରାୟ ୭ଟା ସମୟରେ ବିଧାୟକ ରୁପିନ୍ଦର କୌର ରୁବିଙ୍କ ସରକାରୀ ଗାଡି ମଦ ଦୋକାନରେ ପହଞ୍ଚିଥିଲା । ତାଙ୍କ ବ୍ୟକ୍ତିଗତ ସହାୟକ କାରରୁ ଓହ୍ଲାଇ ମଦ ଦୋକାନକୁ ଯାଇଥିଲେ |

ସେଠାରୁ ଏକ ବୋତଲ ମଦ କିଣି କାରରେ ପଳାଇଯାଇଥିଲେ । ତେବେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ତାଙ୍କ ଭିଡିଓ କରି ଭାଇରାଲ କରିଦେଇଥିଲେ | ତେବେ ଲୋକମାନେ କହିଛନ୍ତି ଯେ ସାଧାରଣ ଲୋକଙ୍କୁ କର୍ଫ୍ୟୁରେ ଘରୁ ବାହାରକୁ ଯିବାକୁ ଅନୁମତି ନାହିଁ। କିନ୍ତୁ ବିଧାୟକଙ୍କ ସହାୟକ ସରକାରୀ ଗାଡ଼ିରେ ଆସି ମଦ ନେଇଯାଉଛନ୍ତି ।

ତେବେ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଧାୟକ ରୁପିନ୍ଦର କୌର ରୁବି କହିଛନ୍ତି ଯେ ତାଙ୍କ ପିତା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସହାୟକ ଖାଦ୍ୟ ଆଣିବାକୁ ତାଙ୍କ କାର ନେଇଥିଲେ। ତେବେ ସେ ମଦ କିଣିବାର ଜାଣିବା ପରେ ଏଭଳି ଆଉ କେବେ ନ କରିବାକୁ ସେ ତାଗିଦ କରିଥିବାର କହିଛନ୍ତି |

ସମ୍ବନ୍ଧିତ ଖବର