ନ୍ୟୁୟର୍କ : କରୋନାଭୂତାଣୁ ସାର୍ସ–କୋଭ୍–୨ର ସଂକ୍ରମଣ ହାର ଦିନକୁ ଦିନ କମୁଥିବାରୁ ସମ୍ଭାବ୍ୟ କୋଭିଡ୍ ଟିକାର ଆବଶ୍ୟକ ନୈଦାନିକ ପରୀକ୍ଷଣ କରିବାରେ ସଂକ୍ରମିତଙ୍କ ଅଭାବ ଦେଖାଦେଇପାରେ। ଏପରିକି ଟିକା ପରୀକ୍ଷଣର ଫଳାଫଳ ପାଇବାକୁ ଆବଶ୍ୟକ ସଂଖ୍ୟକ ସଂକ୍ରମିତ ସ୍ବେଚ୍ଛାସେବୀ ମଧ୍ୟ ମିଳିବେନି ବୋଲି ଅନ୍ୟତମ ପ୍ରମୁଖ ଟିକା ନିର୍ମାତା ଅଷ୍ଟ୍ରାଜେନେକା କମ୍ପାନିର ମୁଖ୍ୟ ନିର୍ବାହୀ ଅଧିକାରୀ ପାସ୍କାଲ୍ ସୋରିଆତ୍ ଆଶଙ୍କା ବ୍ୟକ୍ତ କରିଛନ୍ତି। ଫଳସ୍ବରୂପ ସଂପୃକ୍ତ କମ୍ପାନିମାନେ ଏଥିପାଇଁ ସୁସ୍ଥ ସ୍ବେଚ୍ଛାସେବୀମାନଙ୍କୁ ମଧ୍ୟ କରୋନାଭୂତାଣୁ ଦ୍ବାରା ଉଦ୍ଦେଶ୍ୟମୂଳକ ଭାବେ ସଂକ୍ରମିତ କରିବାର ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ ବୋଲି ସେ ଗଣମାଧ୍ୟମ ଆଗରେ ସ୍ବୀକାର କରିଛନ୍ତି।
ସୋରିଆତ୍ କହନ୍ତି, ୟୁରୋପରେ କୋଭିଡ୍-୧୯ର ପ୍ରାଦୁର୍ଭାବ କମି ଆସିଲାଣି। ଆମେରିକା ଓ ବ୍ରିଟେନ୍ରେ ଏହି ମହାମାରୀ ଉପଦ୍ରବ ଜାରି ରହିଥିଲେ ସୁଦ୍ଧା ଖୁବ୍ ଶୀଘ୍ର ସେଠାରେ ମଧ୍ୟ ସଂକ୍ରମଣ ହାର କମିଯିବ। କିନ୍ତୁ କୌଣସି ଟିକାର ଉପାଦେୟତା ଓ ସାର୍ବଜନୀନ ବ୍ୟବହାର ସମ୍ପର୍କରେ କିଛି ଠୋସ୍ ନିର୍ଯ୍ୟାସ ପାଇବାକୁ ହେଲେ ବିଭିନ୍ନ ସ୍ତରର ନୈଦାନିକ ପରୀକ୍ଷଣ ପରି ଜଟିଳ ପ୍ରକ୍ରିୟାର ଆବଶ୍ୟକତା ରହିଛି। ଯାହାକି ଆବଶ୍ୟକ ସଂଖ୍ୟକ ସଂକ୍ରମିତଙ୍କ ଦ୍ବାରା ହିଁ ସାଧିତ ହେବା ଜରୁରୀ। ସୁତରାଂ ନିକଟ ଭବିଷ୍ୟତରେ ସେଭଳି ସ୍ଥିତି ରହିଲେ ଟିକା କମ୍ପାନିମାନଙ୍କୁ ଅନନ୍ୟୋପାୟ ହୋଇ କିଛି ସୁସ୍ଥ ସ୍ବେଚ୍ଛାସେବୀଙ୍କୁ ମଧ୍ୟ ସଂକ୍ରମିତ କରିବାକୁ ହେବ ବୋଲି ସୋରିଆତ୍ କହିଛନ୍ତି।