ନୂଆଦିଲ୍ଲୀ: ସମଗ୍ର ବିଶ୍ବ ଏବେ କରୋନା ବିରୋଧରେ ଲଢ଼େଇ ଜାରି ରଖିଛି ଏବଂ ଏଥିରୁ ନିସ୍ତାର ପାଇଁ ଏକ ଫଳପ୍ରଦ ଟିକା ଅପେକ୍ଷରେ ରହିଛି। କୋଭିଡ ଟିକା ପ୍ରସ୍ତୁତିରେ ବିଶ୍ବର ୫ଟି ସଂସ୍ଥା ଏବେ ଅଗ୍ରଣୀ ରହିଥିବା ବେଳେ ବହୁ ଚର୍ଚ୍ଚିତ ଅକ୍ସଫୋର୍ଡ-ଅଷ୍ଟ୍ରାଜେନେକା ଟିକାକୁ ନେଇ ଏବେ ସନ୍ଦେହ ପ୍ରକାଶ ପାଇଛି। ଟିକା ପ୍ରସ୍ତୁତିରେ ଗୁରୁତର ତ୍ରୁଟି ସାମ୍ନାକୁ ଆସିବା ପରେ କର୍ତ୍ତୃପକ୍ଷ ନିଜ ଭୁଲ୍‌ ସ୍ବୀକାର କରିଛନ୍ତି ଏବଂ ଏହାକୁ ସୁଧାରିବା ଦିଗରେ ପ୍ରୟାସ ଆରମ୍ଭ ହୋଇଥିବା କହିଛନ୍ତି। ଅକ୍ସଫୋର୍ଡ ଟିକାର ନୈଦାନିକ ପରୀକ୍ଷଣକୁ ନେଇ ମଧ୍ୟ କେତେକ ସନ୍ଦେହ ସୃଷ୍ଟି ହୋଇଛି।

Advertisment

ଯଉଁ ଗ୍ରୁପ୍‌କୁ ଟିକାର କମ୍‌ ମାତ୍ରା ଦିଆଯାଇଥିଲା ସେମାନେ ସଂପୂର୍ଣ୍ଣ ୨ଟି ମାତ୍ରା ନେଇଥିବା ଗୋଷ୍ଠୀଠାରୁ ଅଧିକ ସୁରକ୍ଷିତ ଥିବା ଜଣାପଡ଼ିଛି। ଅଷ୍ଟ୍ରାଜେନେକା କହିଛି ଯେ ଯେଉଁମାନଙ୍କୁ କମ୍‌ ଡୋଜ୍‌ ଦିଆଯାଇଥିଲା ସେହି ଗ୍ରୁପ୍‌ରେ ଟିକା ୯୦ ପ୍ରତିଶତ ଫଳପ୍ରଦ ହେଇଥିବା ବେଳେ ଯେଉଁ ଗ୍ରୁପ୍‌ରେ ପୂର୍ଣ୍ଣ ମାତ୍ରା ଦିଆଯାଇଥିଲା ସେଠାରେ ସଫଳତା ହାର ୬୨ ପ୍ରତିଶତ ରହିଛି । ମୋଟାମୋଟି ଭାବେ ଏହି ଟିକା ୭୦ ପ୍ରତିଶତ ଫଳପ୍ରଦ ବୋଲି କୁହାଯାଉଛି । ଟିକା ପ୍ରସ୍ତୁତିରେ ରହିଥିବା ଏକ ବଡ଼ ଧରଣର ତ୍ରୁଟିକୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି । ଭାରତ ସରକାର ଆଶଙ୍କା କରୁଛନ୍ତି ଯେ ବିଭିନ୍ନ କରୋନା ଟିକାର ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ହୋଇପାରେ ଏବଂ ଏଭଳି ସ୍ଥିତିର ମୁକାବିଲା ପାଇଁ ରାଜ୍ୟମାନେ ଜିଲ୍ଲାସ୍ତରରେ ପ୍ରସ୍ତୁତ ରହିବାକୁ ହେବ। ଏବେ ବିଭିନ୍ନ ରାଷ୍ଟ୍ରରେ କରୋନାର ଦ୍ବିତୀୟ ଓ ତୃତୀୟ ଲହର ଆରମ୍ଭ ହୋଇଯାଇଛି।