ପୃଥିବୀ ଆଡକୁ ମାଡିଆସୁଛି ବୁର୍ଜ ଖଲିଫା ଆକାରର ଉଲକା ପିଣ୍ଡ

ନୂଆଦିଲ୍ଲୀ: ମହାକାଶରୁ ପୃଥିବୀ ଆଡକୁ ଏକ ଉଲକା ପିଣ୍ଡ ମାଡିଆସୁଛି | ଏହା ରବିବାର ଅର୍ଥାତ୍ ଜୁନ୍ ୧୧, ୨୦୨୩ରେ କିଛି ସମୟ ପୃଥିବୀ ନିକଟ ଦେଇ ଯିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି | ବିଶେଷ କଥା ଯେ ଏହି ଉଲକାର ଆକାର ବୁର୍ଜ ଖଲିଫା ପରି ହୋଇଥିବାବେଳେ ଏହା ଦୁନିଆର ସବୁଠାରୁ ବଡ ବିଲଡିଂ ଆକାରର ବୋଲି ଜଣାପଡିଛି | ଏହି ଉଲକା ପୃଥିବୀଠାରୁ ପ୍ରାୟ ୩୧ ଲକ୍ଷ କିଲୋମିଟର ଦୂରରେ ଆସୁଥିବାବେଳେ ଏହି ଦୂରତା ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଥିବା ଦୂରତାର ପ୍ରାୟ ଆଠ ଗୁଣ | ନାସା ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ଏହା ପୃଥିବୀଠାରୁ ଏକ ସୁରକ୍ଷିତ ଦୂରତ୍ୱ ଦେଇ ଗତି କରିବାକୁ ଥିବାବେଳେ ଯଦି ଏହାର ଦିଗ ପରିବର୍ତ୍ତନ ହୁଏ, ତେବେ ପୃଥିବୀ ପାଇଁ କ୍ଷତି ପହଞ୍ଚାଇପାରେ |

ଏହି ଉଲକାର ନାମ ହେଉଛି ୧୯୯୪ଏକ୍ସଡି | ଏହାର ମୋଟେଇ ୧୨୦୦ ରୁ ୨୭୦୦ ଫୁଟ | ନାସା ବୈଜ୍ଞାନିକମାନଙ୍କ ଆକଳନ ଅନୁଯାୟୀ ଏହି ଉଲକା ପିଣ୍ଡଟି ଯେହେତୁ ପୃଥିବୀଠାରୁ ଖୁବ କମ ଦୂରତା ଦେଇ ଅତିକ୍ରମ କରିବ, ତେଣୁ ଏହାକୁ ବିପଦପୂର୍ଣ୍ଣ ଶ୍ରେଣୀରେ ରଖାଯାଇଛି | ଉଲ୍ଲେଖ ଥାଉ କି ମହାକାଶରୁ ଆସୁଥିବା ଉଲକା ପିଣ୍ଡ ଯାହାର ଆକାର ୪୬୦ ଫୁଟରୁ ଅଧିକ ହୋଇଥାଏ ଓ ପୃଥିବୀଠାରୁ ୭୪ କିଲୋମିଟର ଦୂରତା ଭିତରେ ଗତି କରିଥାଏ, ତାହାକୁ ବିପଦପୂର୍ଣ୍ଣ ଶ୍ରେଣୀରେ ରଖାଯାଇଥାଏ | ବୈଜ୍ଞାନିକଙ୍କ ଗଣନା ମୁତାବକ ଆଗାମୀ ୧୦୦୦ ବର୍ଷ ପର୍ଯ୍ୟନ୍ତ କୌଣସି ଉଲକା ପିଣ୍ଡ ପୃଥିବୀ ସହ ଧକ୍କା ହେବାର ଆଶଙ୍କା ଯଦିଓ ନାହିଁ, କିନ୍ତୁ ଯଦି ଉଲକା ପିଣ୍ଡର ଗତି ଓ ଦିଗରେ କୌଣସି ପରିବର୍ତ୍ତନ ହୁଏ ତେବେ ଏହା ପୃଥିବୀ ପାଇଁ ବିପଦ ସାଜିପାରେ |

ସମ୍ବନ୍ଧିତ ଖବର