ମିରଟ: ତାଙ୍କ ସହ ଟିଭି ଦେଖୁଥିବା ଲୋକଙ୍କୁ ୧୩ ବର୍ଷିୟ ରୁଦ୍ର ପ୍ରତାପ ସିଂହ ସବୁବେଳେ ଚକିତ କରି ପକାନ୍ତି। ଫୁଟ୍‌ବଲ୍‌ କିଂବା କ୍ରିକେଟ୍‌ ଖେଳ ସମୟରେ କୌଣସି ଦେଶର ଦଳ ସେମାନଙ୍କ ଦେଶର ଜାତୀୟ ସଙ୍ଗୀତ ଗାଇଲାବେଳେ ତାଙ୍କ ସହ ନିଖୁଣ ଭାବେ ସ୍ୱର ମିଳାଇ ସେ ଗାଇ ପାରେ।

Advertisment

ଅଷ୍ଟମ ଶ୍ରେଣୀରେ ପଢୁଥିବା ରୁଦ୍ର ୧୮ଟି ଦେଶର ଜାତୀୟ ସଙ୍ଗୀତ ଜାଣିଛି। ତାଙ୍କୁ ୨୧ ବର୍ଷ ହେଲାବେଳକୁ ଅନ୍ୟୂନ ୧୦୦ଟି ଦେଶର ଜାତୀୟ ସଙ୍ଗୀତ ଶିଖି ସାରିଥିବାକୁ ସେ ଯୋଜନା କରୁଛନ୍ତି। ବଡ଼ ହେଲେ ସେ ଜଣେ ବିମାନ ଚାଳକ ହୋଇ ବିଦେଶ ଭ୍ରମଣ କରି ପାରିବ। ତାଦ୍ୱାରା ବିଭିନ୍ନ ଦେଶର ଜାତୀୟ ସଙ୍ଗୀତ ଶିଖି ପାରିବ। ଦୁଇ ବର୍ଷ ତଳେ ଗୋଟିଏ ଫୁଟ୍‌ବଲ୍‌ ମ୍ୟାଚ୍‌ ଚାଲିଥିବାବେଳେ ତା’ର ପ୍ରତିଭା ଜଣାପଡ଼ିଥିଲା। ସେତେବେଳେ ଫରାସୀ ଜାତୀୟ ସଙ୍ଗୀତ ଗାନ କରାଯାଉଥିଲା। ରୁଦ୍ର ଠିଆ ହୋଇ ତାହା ଗାଇଥିଲା। ସେ ଗୀତର ସବୁ ଶବ୍ଦ ଜାଣିଥିଲା ଓ ତା’ର ଠିକ୍‌ ଉଚ୍ଚାରଣ କରୁଥିଲା।
ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ‘ଜାତୀୟ ସଙ୍ଗୀତ’ ବାଳିକା କେପ୍ରି ଇଭରିଟ୍ଟ୍‌ଙ୍କ ଦ୍ୱାରା ସେ ଅନୁପ୍ରାଣିତ ବୋଲି ସେ କହୁଛି। କେପ୍ରି ୮୦ ଦେଶର ଜାତୀୟ ସଙ୍ଗୀତ ଗାନ କରି ଗିନିଜ୍‌ବୁକ୍‌ ରେକର୍ଡରେ ସ୍ଥାନ ପାଇଛି।

ସବୁଠୁ କଷ୍ଟକର ଚୀନ୍‌ ଜାତୀୟ ସଙ୍ଗୀତକୁ ସେ ପସନ୍ଦ କରେ। ଫିଲିପ୍ପିନ୍‌ସ୍‌, ଜୋର୍ଡାନ୍‌, ୟୁଏଇ, ଜାପାନ, ପାକିସ୍ତାନ, ଅଷ୍ଟ୍ରେଲିଆ, ଆମେରିକା ଏବଂ ଇସ୍ରାଏଲ୍‌ ଆଦି ଦେଶର ଜାତୀୟ ସଙ୍ଗୀତ ସେ ଗାଇ ଜାଣିଛି। ଆଜିକାଲି ଇଣ୍ଟର୍‌ନେଟ୍‌ରେ ସବୁ ମିଳି ଯାଉଥିବାରୁ ବିଭିନ୍ନ ଦେଶର ଜାତୀୟ ସଙ୍ଗୀତ ଶିଖି ଗାନ କରିବାରେ ତାଙ୍କୁ ଅସୁବିଧା ହେଉ ନାହିଁ।