ବେଜିଙ୍ଗ୍: କିଛି ବର୍ଷ ହେବ ଧୂଅାଁରେ ରୁନ୍ଧି ହୋଇ ସେଥିରୁ ନିସ୍ତାର ପାଇବାକୁ ଉଦ୍ୟମ କରୁଥିବା ଚୀନ ଗୋଟାଏ କଳ୍ପନାତୀତ କାର୍ଯ୍ୟ କରିଛି।
ସେମାନେ ଗଢ଼ିଛନ୍ତି ୩୩୦ ଫୁଟ୍ ଉଚ୍ଚ ଗୋଟାଏ ବାୟୁ ଶୋଧକ ବୁରୁଜ ବା ଟାଓ୍ଵାର୍। ଏହାକୁ ବିଶ୍ୱର ବୃହତ୍ତମ ବାୟୁ ଶୋଧକ ବୋଲି କୁହାଯାଉଛି।
କିନ୍ତୁ ପ୍ରଶ୍ନ ଉଠୁଛି- ସତରେ କ’ଣ ଏହା କିଛି ବିସ୍ମୟକର କାର୍ଯ୍ୟ କରୁଛି। କାରଣ, ଜଣେ ଲୋକ ୨୧ଟି ସିଗାରେଟ୍ ଟାଣିଲେ ଯେତିକି ଧୂଅାଁ ବାହାରେ ଚୀନ ସେହି ପରିମାଣ ହିସାବରେ ଧୂଅାଁ ଛାଡୁଛି।
ଜିଆନ୍ ଅଞ୍ଚଳରେ ଥିବା ୧୦୦ ମିଟରବିଶିଷ୍ଟ ଅନ୍ୟ ଏକ ବୁରୁଜ ସେ ଅଞ୍ଚଳର ବାୟୁର ମାନକ ଉପରେ ସୁପ୍ରଭାବ ପକାଇ ଥିବା କୁହାଯାଉଛି।
ଚାଇନିଜ୍ ଏକାଡେମି ଅଫ୍ ସାଇନ୍ସେସ୍ସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆର୍ଥ ଏନ୍ଭାଇରୋନ୍ମେଣ୍ଟ୍ର ଗବେଷକଗଣ ସେ ବୁରୁଜର ପରୀକ୍ଷା କରୁଛନ୍ତି।
ବାୟୁର ମାନ ଉନ୍ନତ ହେଉଛି ବୋଲି ବୁରୁଜ ଚତୁପାର୍ଶ୍ୱସ୍ଥ ୧୦ ବର୍ଗ କିଲୋମିଟର ଅଞ୍ଚଳର ବାୟୁ ଉପରେ ଗତ ଅଳ୍ପ କିଛି ମାସ ଅନୁଧ୍ୟାନ କରାଯାଇ ଦେଖା ଯାଇଥିବା କଥା କହୁଛନ୍ତି ଗବେଷଣାର ମୁଖ୍ୟ କାଓ ଜୁଞ୍ଜି।
ଚାଲୁ ହେବା ଦିନ ଠାରୁ ସେ ବୁରୁଜ ୧୦ ନିୟୁତ ଘନ ମିଟର ବାୟୁ ଶୋଧନ କରିଛି। ବୁରୁଜର ପିଣ୍ଡି ଚତୁପାର୍ଶ୍ୱରେ ଫୁଟ୍ବଲ୍ ଖେଳ ପଡ଼ିଆର ଅଧା ଜମିରେ ବ୍ୟାପି ରହିଥିବା ସବୁଜଗୃହ ଜରିଆରେ ବାୟୁ ଶୋଧନ କରାଯାଉଛି।