ଏକକାଳୀନ ହୋଇପାରେ ନିର୍ବାଚନ: ଲୋକସଭା ସହ ୧୧ ବିଧାନସଭା ଭୋଟ ପାଇଁ ଯୋଜନା

୬ ରାଜ୍ୟରେ ବିଜେପିକୁ ପରାଜୟ ଡର

ନୂଆଦିଲ୍ଳୀ: ଆସନ୍ତା ବର୍ଷ ପ୍ରାରମ୍ଭରେ ଲୋକସଭା ସହିତ ୧୧ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଏକ ସମୟରେ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି। ଏହି ଯୋଜନା ଅନୁଯାୟୀ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯିବ। ସେହିଭଳି ଆସନ୍ତା ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ତିନିଟି ରାଜ୍ୟରେ ନିର୍ବାଚନକୁ ଆଗୁଆ କରାଯିବ। ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ କରିବା ସପକ୍ଷରେ ମତ ଦେଇ ବିଜେପି ଆଜି ଆଇନ୍‌ କମିସନଙ୍କୁ ପତ୍ର ଲେଖିବା ପରେ ଏହି ଚର୍ଚା ଜୋର ଧରିଛି ବିଜେପିର ଜଣେ ବରିଷ୍ଠ ନେତା ନିଜ ନାମ ଗୋପନ ରଖି କହିଛନ୍ତି ଯେ ଏଭଳି ଏକକାଳୀନ ନିର୍ବାଚନ କରିବା ଲାଗି ଦଳ ଭିତରେ ପ୍ରସ୍ତୁତି ଚାଲିଛି। ଏନଡିଏ ଅଂଶୀଦାର ଏବଂ ଏପରିକି ସହଯୋଗୀ ଦଳମାନଙ୍କ ସହିତ ମଧ୍ୟ କଥାବାର୍ତା ଚାଲିଛି। ଯେଉଁସବୁ ରାଜ୍ୟରେ ନିର୍ବାଚନ ଘୁଞ୍ଚିବ ବା ଆଗୁଆ କରାଯିବ ସେଠାରେ ବିଜେପିର ଶାସନ ରହିଛି। ତେଣୁ କେନ୍ଦ୍ର ସରକାରଙ୍କର ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ବିଶେଷ ଅସୁବିଧା ହେବ ନାହିଁ।

ସୂଚନାଯୋଗ୍ୟ ଯେ ଆସନ୍ତାବର୍ଷ ଜାନୁଆରୀ ମାସରେ ବିଜେପି ଶାସିତ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ସେହିଭଳି କଂଗ୍ରେସ ଶାସିତ ମିଜେରାମ ବିଧାନସଭା କାର୍ଯ୍ୟକାଳ ଆସନ୍ତା ଡିସେମ୍ବରରେ ଶେଷ ହେବ। ଏହିସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ ଆଡ଼କୁ ହେବା କଥା। କିନ୍ତୁ ଏହାକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯିବା ସହିତ ସଂପୃକ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯିବ। ସେହିଭଳି ୨୦୧୯ ଶେଷ ଆଡ଼କୁ ହରିଆଣା, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବା କଥା। କିଂତୁ ଏହିସବୁ ବିଜେପି ଶାସିତ ରାଜ୍ୟରେ ନିର୍ବାଚନକୁ ଆଗୁଆ କରାଯିବାକୁ ଯୋଜନା ରହିଛି। ବିହାରରେ ୨୦୨୦ ଶେଷ ଆଡ଼କୁ ବିଧାନସଭା କାର୍ଯ୍ୟକାଳ ସରିବ। ତେବେ ଏଠାରେ ମଧ୍ୟ ଆସନ୍ତାବର୍ଷ ଲୋକସଭା ସହିତ ନିର୍ବାଚନ କରିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହତ କଥାବାର୍ତା ଚାଲିଛି। ବିହାରରେ ନୀତୀଶଙ୍କ ଜେଡିୟୁ ସହିତ ବିଜେପି ମେଣ୍ଟ ସରକାର ଚଳାଇଛି। ଲୋକସଭା ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେଉଥିବାରୁ ଏଠାରେ କୌଣସି ଅସୁବିଧା ନାହିଁ। ତେବେ ଯେଉଁ ୪ଟି ରାଜ୍ୟରେ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଯୋଜନା ଚାଲିଛି ସେଠାରେ ସମସ୍ୟା ସୃଷ୍ଟି ହୋଇପାରେ। କାରଣ ଗୋଟିଏ ରାଜ୍ୟରେ ବିଧାନସଭା କାର୍ଯ୍ୟକାଳ ଆସନ୍ତା ଡିସେମ୍ବରରେ ଶେଷ ହେଉଥିବା ବେଳେ ଅନ୍ୟ ତିନିଟି ରାଜ୍ୟରେ କାର୍ଯ୍ୟକାଳ ଆସନ୍ତା ଜାନୁଆରୀରେ ସରିବ। ଲୋକସଭା ସହିତ ନିର୍ବାଚନ କରିବାକୁ ହେଲେ ଏହି ୪ଟି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ପଡ଼ିବ। କିନ୍ତୁ ସମ୍ବିଧାନ ବିଶେଷଜ୍ଞଙ୍କ ମତ ହେଉଛି ଯେ ନିର୍ବାଚନ ଘୁଞ୍ଚାଇବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯିବା ଠିକ୍‌ ନୁହେଁ। କେବଳ ସାମ୍ବିଧାନିକ ସଙ୍କଟ ହେଲେ ଯାଇ ରାଷ୍ଟ୍ରପତି ଶାସନ ଜାରି କରାଯାଇ ପାରିବ। ବିଜେପିର ଜଣେ ନେତା କହିଛନ୍ତି ଯେ ଲୋକସଭା ସହିତ ସମସ୍ତ ବିଧାନସଭା ନିର୍ବାଚନ ଏକ ସମୟରେ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆଗ୍ରହୀ। ତେବେ କଂଗ୍ରେସ ଏହାକୁ ବିରୋଧ କରୁଥିବାରୁ ସମ୍ବିଧାନରେ ସଂଶୋଧନ ସମ୍ଭବ ନୁହେଁ। ତେଣୁ ବିଜେପି ଶାସିତ ରାଜ୍ୟ ହୋଇଥିବାରୁ ସେଠାରେ ଏକ ସମୟରେ ନିର୍ବାଚନ କରିବାକୁ ଯୋଜନା ରହିଛି। ଏହାର ସବୁଠାରୁ ବଡ଼ ଲାଭ ହେବ ଯେ ଏକ ସମୟରେ ନିର୍ବାଚନ ହେଲେ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ରହିଥିବା ସରକାର-ବିରୋଧୀ ହାଓ୍ଵା କାମ କରିବ ନାହିଁ। ଉଲ୍ଲେ୍‌ଖଯୋଗ୍ୟ ଯେ ଗତ ଲୋକସଭା ନିର୍ବାଚନ ୨୦୧୪ ଏପ୍ରିଲ-ମଇରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ମାର୍ଚ-ଏପ୍ରିଲରେ ହୋଇପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର