ଆଲାସ୍କାରେ ୮.୨ ତୀବ୍ରତାର ଭୂକମ୍ପ ସୁନାମି ଆଲର୍ଟ

ଓ୍ଵାସିଂଟନ : ଆମେରିକାର ଆଲାସ୍କାରେ ଆଜି ୮.୨ ତୀବ୍ରତାର ଭୂକମ୍ପ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଭୂକମ୍ପ ପରେ ଉପକୂଳ ଆଲାସ୍କା ଏବଂ କାନାଡ଼ାର ବ୍ରିଟିସ କଲମ୍ବିୟାର ପଶ୍ଚିମ ଊପକୂଳରେ ସୁନାମି ସତର୍କତା ଜାରି କରାଯାଇଛି। ଆମେରିକାର ଭୌଗୋଳିକ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଆଲାସ୍କା ଉପସାଗରର ୧୦ କିମି ଗଭୀରତାରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଆଜି ପୂର୍ବାହ୍ନ ୯.୩୦ ସମୟରେ ଅନୁଭୂତ ହୋଇଥବା ଏହି ଭୂକମ୍ପ ଆଲାସ୍କାର କୋଡିଆକ୍‌ ସହରର ୧୫୭ ମାଇଲି ଦକ୍ଷିଣ ପୂର୍ବ ଅଞ୍ଚଳ ପର୍ଯ୍ୟନ୍ତ ଆତଙ୍କ ଖେଳାଇ ଦେଇଛି। ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ। ତେବେ ସୁନାମି ଆଶଙ୍କାରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ଲୋକଙ୍କୁ ସୁରକ୍ଷିତ ଅଂଚଳକୁ ନିଆଯାଉଛି। ଆଲାସ୍କାର ସର୍ବବୃହତ୍ତମ ସହର ଆଙ୍କୋରେଜ୍‌ରେ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯିବା ସହ ସ୍ୱତନ୍ତ୍ର କ୍ୟାମ୍ପ୍‌ରେ ତଟବର୍ତ୍ତୀ ଲୋକଙ୍କୁ ରଖାଯାଇଛି।
ସହରରେ ୧୦୦ ଫୁଟ୍‌ରୁ କମ୍‌ ଉଚ୍ଚତାରେ ରହିଥିବା ଲୋକମାନେ ବାସସ୍ଥାନ ଛାଡ଼ି ଉଚ୍ଚ ସ୍ଥାନକୁ ଚାଲି ଆସିବାକୁ କୁହାଯାଇଛି। ଆଲାସ୍କା ଉପସାଗରରେ ଭୂକମ୍ପ କେନ୍ଦ୍ରିଭୂତ ହେବାପରେ ୨ ଫୁଟ୍‌ ଉଚ୍ଚତାକୁ ଜଳସ୍ତର ବଢ଼ିଯାଇଥିଲା। ତେବେ କିଛି ସମୟ ପରେ ଏଥିରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର