ନୂଆଦିଲ୍ଲୀ: ମଙ୍ଗଳବାର ଦିନ ପାଜି ଗାଇ ଗାଁରେ ବିମାନ ଆକ୍ରମଣ କରିଥିବା ଏବଂ ଏହି ଆକ୍ରମଣଯୋଗୁଁ ଅନେକ ପିଲା ଓ ସାମ୍ବାଦିକଙ୍କ ସମେତ ଅନ୍ୟୂନ ୧୦୦ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ମିଆଁମାର୍‌ର ସାମରିକ ସରକାର ସୁନିଶ୍ଚିତ କରିଛି।

Advertisment

ମିଆଁମାର୍‌ର ସାଗାଇଙ୍ଗ୍‌ ଅଞ୍ଚଳ ଅନ୍ତର୍ଗତ କାନ୍‌ବାଲୁ ଟାଉନ୍‌ସିପ୍‌ରେ ଥିବା ପାଜି ଗାଇ ଗାଁ ବାହାରେ ସରକାରୀ ‘ବିରୋଧୀ ଆନ୍ଦୋଳନ’ର ଏକ ସ୍ଥାନୀୟ କାର୍ଯ୍ୟାଳୟ ଉଦ୍‌ଘାଟନ ନିମନ୍ତେ ‌ଉକ୍ତ ଲୋକେ ସମବେତ ହୋଇଥିଲେ।

ଜଣେ ପ୍ରତ୍ୟକ୍ଷଦର୍ଶୀ ଗଣମାଧ୍ୟମକୁ କହିଛନ୍ତି ଯେ, ମଙ୍ଗଳବାର ସକାଳ ପ୍ରାୟ ୮ ବେଳେ ସମବେତ ହୋଇଥିବା ପ୍ରାୟ ୧୫୦ଜଣଙ୍କ ଉପରେ ଗୋଟାଏ ଲଢୁଆ ଜେଟ୍‌ ସିଧାସଳଖ ବୋମା ପକାଇଲା। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ମହିଳା ଏବଂ ୨୦ରୁ ୩୦ଜଣ ପିଲା ଅଛନ୍ତି। ଏହାଛଡ଼ା, ଆଞ୍ଚଳିକସ୍ତରରେ ଗଠିତ ସରକାରୀ ବିରୋଧୀ ସଶସ୍ତ୍ର ସଙ୍ଗଠନ, ଅନ୍ୟାନ୍ୟ ବିରୋଧୀ ସଙ୍ଗଠନଗୁଡ଼ିକର ନେତାମାନେ ଓ ସାମ୍ବ‌ାଦିକମାନେ ବି ବିମାନ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରାରମ୍ଭିକ ଆକ୍ରମଣର ପ୍ରାୟ ଅଧଘଣ୍ଟା ପରେ ଗୋଟାଏ ହେଲିକପ୍ଟର୍‌ ଆସି ସେ ସ୍ଥାନରେ ଗୋଳା ବର୍ଷଣ କଲା।

publive-image Image Courtesy of South China Morning Post

ସେନା ସରକାର ରିପୋର୍ଟିଙ୍ଗ୍‌ ଉପରେ କଟକଣା ଲାଗୁ କରିଥିବାରୁ ସଠିକ ମୃତ୍ୟୁସଂଖ୍ୟା ଜଣାପଡ଼ିନାହିଁ।

କିନ୍ତୁ, ମଙ୍ଗଳବାର ସନ୍ଧ୍ୟାବେଳେ ମିଆଁମାର୍‌ର ସାମରିକ ସରକାର ଆକ୍ରମଣ କରିଥିବା ଘଟଣାକୁ ସୁନିଶ୍ଚିତ କରି କହିଛି, ଆମେ ସେ ସ୍ଥାନରେ ଆକ୍ରମଣ କରିଛୁ। ସାମରିକ ସରକାରର ଜଣେ ମୁଖପାତ୍ର କହିଛନ୍ତି, ମଙ୍ଗଳବାର ସକାଳ ପ୍ରାୟ ୮ଟା ବେଳେ ପାଜି ଗାଇ ଗାଁରେ ‘ଜନ ପ୍ରତିରକ୍ଷା ବଳ’ର କାର୍ଯ୍ୟାଳୟ ଉଦ୍‌ଘାଟନ ଉତ୍ସବ ଚାଲିଥିଲା। ‘ଜନ ପ୍ରତିରକ୍ଷା ବଳ’ ହେଉଛି ‘ନ୍ୟାସ୍‌ନାଲ୍‌ ୟୁନିଟି ଗଭର୍ଣ୍ଣମେଣ୍ଟ୍‌’ର ସଶସ୍ତ୍ର ଶାଖା। ସେମାନେ ହିଁ ଦେଶର ବୈଧ ସରକାର ବୋଲି ସେନାକୁ ବିରୋଧ କରି କହୁଛନ୍ତି।

ମୁଖପାତ୍ରଜଣକ ପୁଣି କହିଛନ୍ତି, କିଛି ବେସାମରିକ ପୋଷାକ ପରିହିତ ଲୋକ ଥିଲେ ବି ମୃତବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ୟୁନିଫର୍ମ ପିନ୍ଧା ‘ସାମରିକ ସରକାର ବିରୋଧୀ ଲଢୁଆ’। ‘ଜନ ପ୍ରତିରକ୍ଷା ବଳ’ ଘଟଣାସ୍ଥଳରେ ମାଇନ୍‌ସ୍‌ ପୋତିଥିବାରୁ ମଧ୍ୟ କିଛି ଲୋକଙ୍କର ମୃତ୍ୟୁ ଘଟିଛି।

ଏହି ଆକ୍ରମଣକୁ ଜାତିସଂଘ ଓ ଯୁକ୍ତରାଷ୍ଟ୍ର ଆମେରିକା ତୀବ୍ର ନିନ୍ଦା କରିଛନ୍ତି।