ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା, ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ ଥିବା ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ହୋଇଥିବା ବାଦଲ ଫଟା ବର୍ଷା ଯୋଗୁଁ ଆସିଥିବା ବନ୍ୟାରେ ଅନେକ ଲୋକ ଭାସିଯାଇଥିବା ଅନୁମାନ କରାଯାଉଛି । ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୧୫ରେ ପହଞ୍ଚିଥିବାବେଳେ ୪୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି ।

ଏହି ଘଟଣାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକଟ କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ସନ୍ଧ୍ୟା ପ୍ରାୟ ସାଢେ ୫ଟା ସମୟରେ ବାଦଲ ଫଟା ବର୍ଷା ହେବା ଫଳରେ ପବିତ୍ର ଗୁମ୍ଫା ମନ୍ଦିର ନିକଟରେ ପ୍ରବଳ ବର୍ଷା ହେବା ବନ୍ୟା ଆସିଥିଲା । ଫଳରେ ସେଠାରେ ଥିବା ଯାତ୍ରୀ ଓ ଦର୍ଶନାର୍ଥୀ ଜଳସ୍ରୋତରେ ଭାସିଯାଇଥିଲେ ।

ଉଦ୍ଧାର କାର୍ଯ୍ୟ କରିବା ପାଇଁ ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ (ଆଇଟିବିପି), ଏନ୍‌ଡିଆରଏଫ୍‌ ଓ ଏସ୍‌ଡିଆରଏଫ୍‌ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି । ସଦ୍ୟତମ ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ପହଲଗାମ, ଚନ୍ଦନୱାରୀ, ଜୋଜିଲା, ଶେଷନାଗ, ପୋଷପତ୍ରୀ, ପଞ୍ଚତାରନୀ ଏବଂ ସଙ୍ଗମ ଭଳି ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଖରାପ ପାଗ ହେତୁ ମଙ୍ଗଳବାର ଦିନ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା ।

ସମ୍ବନ୍ଧିତ ଖବର