ପ୍ରସାଦ ଖାଇ ବିହାରର ମୁଙ୍ଗେର ଜିଲ୍ଲାରେ ୧୭୦ ଜଣ ଅସୁସ୍ଥ

ପାଟନା: ସୋମବାର ବିଳମ୍ବିତ ରାତିରେ ବିହାରର ମୁଙ୍ଗେର ଜିଲ୍ଲାର କୋଥୱାନ ଗ୍ରାମରେ ହଠାତ ୧୭୦ଜଣ ଲୋକ ଅସୁସ୍ଥ ହୋଇପଡିଥିବା ଜଣାପଡିଛି | ବିଷାକ୍ତ ଖାଦ୍ୟ ଖାଇବା ଫଳରେ ଏଭଳି ହୋଇଥିବା ନେଇ ସନ୍ଦେହ କରାଯାଉଛି |

ଜିଲ୍ଲା ପ୍ରଶାସନର ସୂତ୍ରରୁ ପ୍ରକାଶ ଯେ ସୋମବାର ସନ୍ଧ୍ୟାରେ ସତ୍ୟନାରାୟଣ କଥା ପାଇଁ ମହେଶ କୋଡାଙ୍କ ଘରେ ୨୫୦ରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ପ୍ରସାଦ ଖାଇବା ପରେ ଅଧିକାଂଶ ଗ୍ରାମବାସୀ ପେଟ ଖରାପ ହେବା ସହ ମୁଣ୍ଡ ବୁଲାଇବା ଏବଂ ବାନ୍ତି ହେଉଥିବା ନେଇ ଅଭିଯୋଗ କରିଥିଲେ। ଏହି ସଂଖ୍ୟା ବଢିବା ପରେ ଜିଲ୍ଲା ପ୍ରଶାସନ ସିଭିଲ ସର୍ଜନଙ୍କୁ ସତର୍କ କରାଇବା ସହ ରାତି ପ୍ରାୟ ୧୧ ଟା ସମୟରେ ଦୁଇଜଣ ଡାକ୍ତର, ୬ଜଣ ପାରାମେଡିକାଲ କର୍ମଚାରୀ ଏବଂ ତିନିଟି ଆମ୍ବୁଲାନ୍ସକୁ ନେଇ ଏକ ଟିମ୍ ଗାଁରେ ପହଞ୍ଚିଥିଲା।

ମୁଙ୍ଗେର ଜିଲ୍ଲା ମାଜିଷ୍ଟ୍ରେଟ ନବୀନ କୁମାର କହିଛନ୍ତି ଯେ, ଯେଉଁମାନେ ଅସୁସ୍ଥ ଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଔଷଧ ଦିଆଯିବା ପରେ ଭଲ ହୋଇଛନ୍ତି। ଗ୍ରାମବାସୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଏନ.କେ ମେହେଟ୍ଟା କହିଛନ୍ତି ଯେ, ୧୭୦ ଜଣଙ୍କ ମଧ୍ୟରୁ ୮୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ସମସ୍ତେ ବିପଦମୁକ୍ତ ଅଛନ୍ତି।

ସିଭିଲ ସର୍ଜନ ଡାକ୍ତର ହରେନ୍ଦ୍ର କୁମାର ଆଲୋକ କହିଛନ୍ତି ଯେ, ଡିହାଇଡ୍ରେସନର ଲକ୍ଷଣ ଦେଖାଉଥିବାରୁ ସତର୍କତାମୂଳକ ପଦକ୍ଷେପ ଭାବରେ ୧୫ ଜଣଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର (ଧରହାରା) ରେ ଭର୍ତ୍ତି କରାଯାଇଛି। ଏହା କେବଳ ପ୍ରତିଷେଧକ ପଦକ୍ଷେପ ଥିଲା ଏବଂ ସମସ୍ତେ ଶୀଘ୍ର ସୁସ୍ଥ ହେଉଛନ୍ତି।ଖୁବ ଶୀଘ୍ର ସମସ୍ତଙ୍କୁ ଡିସଚାର୍ଜ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର