ଲକ୍ଷ୍ନୌ: ଗତରାତି ପ୍ରାୟ ୧:୩୦ରେ ଉତ୍ତର ପ୍ରଦେଶର ବାରବାଙ୍କୀରେ ଏକ ଡବଲ୍-ଡେକର୍ ବସ୍କୁ ଗୋଟାଏ ଦ୍ରୁତଗାମୀ ଟ୍ରକ୍ ଧକ୍କାର ଦେବାରୁ ଅନ୍ୟୂନ ୧୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୧୯ଜଣ ବ୍ୟକ୍ତି ସାଙ୍ଘାତିକ ଆହତ ହୋଇଛନ୍ତି। ରାମ ସାନେହି ଘାଟ ଥାନା ଅନ୍ତର୍ଗତ ଲକ୍ଷ୍ନୌ-ଅଯୋଧ୍ୟା ୨୮ ନମ୍ବର ଜାତୀୟ ରାଜପଥରେ ଏହି ଭୟାବହ ଦୁର୍ଘଟଣା ଘଟିଥିବା କଥା ପୁଲିସ ଅଧିକାରୀମାନେ କହିଛନ୍ତି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଭୟାବହ ଦୁର୍ଘଟଣାରେ ପ୍ରାୟ ୧୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ଡାକ୍ତରଖାନାରେ ସାମ୍ବାଦିକମାନଙ୍କୁ ଲକ୍ଷ୍ନୌ ଜୋନ୍ ‘ଏଡିଜି’ ସତ୍ୟନାରାୟଣ ସାବତ ସୁନିଶ୍ଚିତ କରି କହିଛନ୍ତି। ଆହୁରି କେତେଜଣ ମଧ୍ୟ ବସ୍ ତଳେ ଚାପି ହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ପ୍ରାୟାସ ଚାଲୁ ରହିଛି। ସେ କହିଛନ୍ତି, ସୀତାମାଢ଼ି ଏବଂ ସହର୍ଷ ସମେତ ଅଧିକାଂଶ ଯାତ୍ରୀ ହେଉଛନ୍ତି ବିହାରର ବିଭିନ୍ନ ଜିଲ୍ଲାର। ସେମାନଙ୍କୁ ପଞ୍ଜାବ ଓ ହରିୟାଣାରେ କୌଣସି କାମରେ ନିୟୋଜିତ କରାଯାଇଥିଲା। କାମ ସରିବା ପରେ ସେମାନେ ଆପଣା ଘରକୁ ଫେରୁଥିଲେ। ସେ ବସ୍ରେ ପ୍ରାୟ ୧୪୦ ଜଣ ଶ୍ରମିକ ଥିଲେ।
ପୁଲିସ ଅଧିକାରୀଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ବସ୍ର ‘ଏକ୍ସିଲ୍ ସାଫ୍’ ଭାଙ୍ଗିଯାଇଛି ବୋଲି ଡ୍ରାଇଭର୍ କହିବାରୁ କେତେକ ଯାତ୍ରୀ ବସ୍ରୁ ଓହ୍ଲାଇ ପଡ଼ିଥିଲେ। ଏହାର କିଛି କ୍ଷଣ ପରେ ଗୋଟାଏ ଦ୍ରୁତଗାମୀ ଟ୍ରକ୍ ଆସି ଠିଆ ହୋଇଥିବା ଉକ୍ତ ବସ୍ର ପଛପଟେ ଧକ୍କା ଦେଇଥିଲା। ଫଳରେ ବସ୍ରୁ ଓହ୍ଲାଇ ପଡ଼ି ରାଜପଥ ଉପରେ ବସ୍ ସମ୍ମୁଖରେ ଶୋଇପଡ଼ିଥିବା କେତେକ ଯାତ୍ରୀ ଗାଡ଼ି ଚାପାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ କେତେଜଣ ସାଙ୍ଘାତିକ ଆହତ ହୋଇଥିଲେ।
ସେହିଭଳି ଡାକ୍ତରଖାନାରେ ପହଞ୍ଚୁ ପହଞ୍ଚୁ ଦୁଇଜଣ ଯାତ୍ରୀଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ସମ୍ପ୍ରତି ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରିଛନ୍ତି।