କାବୁଲ୍‌ରେ ମିନି ବସ୍‌ରେ ବୋମା ଫୁଟି ଅନ୍ୟୂନ ୨ ମୃତ ଓ ୫ ଆହତ

କାବୁଲ୍: ବୁଧବାର ଦିନ ଆଫଗାନିସ୍ତାର ରାଜଧାନୀ କାବୁଲ୍‌ରେ ଗୋଟାଏ ମିନି ବସ୍‌ରେ ବୋମା ଫୁଟିବାରୁ ଅନ୍ୟୂନ ୨ଜଣଙ୍କର ପ୍ରାଣହାନୀ ହେବା ସହ ଆହୁରି ୫ଜଣ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଉକ୍ତ ଆକ୍ରମଣ ପାଇଁ ନିଜେ ଦାୟୀ ବୋଲି ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ଘୋଷଣା କରିଛି।

ସଂଖ୍ୟାଲଘୁ ହାଜାରା ସିଆଇତ୍‌ ଅଧ୍ୟୁଷିତ ଉପନଗରୀ ଦସ୍ତ-ଏ-ବର୍ଚିରେ ଘଟିଥିବା ଉକ୍ତ ବିସ୍ଫୋରଣରେ ଗୋଟାଏ ଗାଡ଼ି ନଷ୍ଟ ହୋଇଯାଇଥିବା କଥା ଜଣେ ତାଲିବାନ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁସାରେ, ବୋମାଟିକୁ ବସ୍‌ରେ ଲଗାଯାଇଥିଲା। ଘଟଣା ସଂକ୍ରାନ୍ତରେ ତଦନ୍ତ ଆରମ୍ଭ ହୋଇଛି।

Image Courtesy of India Today

ମୃତାହତଙ୍କ ସଂଖ୍ୟା ସଂକ୍ରାନ୍ତରେ ତାଲିବାନ୍‌ ଅଧିକାରୀମାନେ ଭିନ୍ନ ଭିନ୍ନ ତଥ୍ୟ ଦେଉଛନ୍ତି। ବୋମା ବିସ୍ଫୋରଣ ବେଳେ ଘଟଣାସ୍ଥଳରେ ‘ଏଏଫ୍‌ପି’ର ଜଣେ କର୍ମଚାରୀ ଉପସ୍ଥିତ ଥିଲେ। ସେ କହନ୍ତି, ପ୍ରଚଣ୍ଡ ବିସ୍ଫୋରଣ ଶୁଣି ମୁଁ ଚାରିଆଡ଼କୁ ଅନାଇ ଦେଖିଲି ଗୋଟାଏ ମିନିବସ୍ ଓ କାର୍‌ ହୁତୁହୁତୁ ହୋଇ ଜଳୁଛି। ଏହାପରେ ସେଠାକୁ ଆମ୍ବୁଲାନ୍ସ୍‌ ଆସି ମୃତାହତଙ୍କୁ ଡାକ୍ତରଖାନା ନେଇଗଲା।

ବିସ୍ଫୋରଣ ପାଇଁ ଦାୟୀ ବୋଲି ‘ଇସ୍‌ଲାମିକ୍‌ ଷ୍ଟେଟ୍‌-ଖୋରସାନ୍‌ (ଆଇଏସ୍‌-କେ) ‌‘ଟେଲିଗ୍ରାମ୍‌ ଚାନେଲ୍‌’ରେ ଉଲ୍ଲେଖ କରି ଲେଖିଛି, ଦୁଇଟି ପୃଥକ୍‌ ବିସ୍ଫୋରଣରେ ୨୦ରୁ ଅଧିକ ଧର୍ମଦ୍ରୋହୀ ମୃତାହତ ହୋଇଛନ୍ତି।

ସମ୍ବନ୍ଧିତ ଖବର