ଷ୍ଟେକାଟୋ ଡି କୁଟ୍ରୋ: ତୁର୍କିରୁ ୟୁରୋପକୁ ପ୍ରବାସୀଙ୍କୁ ନେଇ ଆସୁଥିବା ଏକ ଡଙ୍ଗା ରବିବାର ଝଡ଼ତୋଫାନ ଯୋଗୁ ଦକ୍ଷିଣ ଇଟାଲି ଉପକୁଳ ନିକଟ ସାମୁଦ୍ରିକ ପାହାଡ଼ରେ ପିଟି ହୋଇଯାଇଛି। ଏଥିରେ ପ୍ରାୟ ୫୯ ପ୍ରବାସୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୨ଜଣ ଶିଶୁ ଥିବା ଜଣାପଡିଛି। ମୃତ୍ୟୁ ସଂଖ୍ୟା ବଢ଼ିବା ଆଶା ରହିଛି ବୋଲି ସେଠାକାର କନିଷ୍ଠ ଆଭ୍ୟନ୍ତରୀଣ ମନ୍ତ୍ରୀ ୱାଣ୍ଡା ଫେରୋ କହିଛନ୍ତି।
ଇଟାଲି ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆଫଗାନିସ୍ତାନ, ଇରାନ ଓ ଅନ୍ୟ ଦେଶଗୁଡିକର ପ୍ରବାସୀଙ୍କୁ ନେଇ ୪ ଦିନ ତଳେ ଏହି ଡଙ୍ଗାଟି ପଶ୍ଚିମ ତୁର୍କିର ଇଜମିର ଉପକୂଳରୁ ବାହାରିଥିଲା। ସ୍ଥାନୀୟ ସରକାରୀ ଅଧିକାରୀ ମାନୁଏଲା କୁରା କହିଛନ୍ତି ଯେ, ଏହି ଦୁର୍ଘଟଣା ପରେ ପ୍ରାୟ ୮୧ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକ ନିଖୋଜ ଥିବା ଅନୁମାନ କରାଯାଉଛି। ଝଡ଼ତୋଫାନ ଲାଗିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।