ବାଗ୍ଦାଦ୍: ରବିବାର ଦିନ ଇରାକ୍ର ରାଜଧାନୀ ବାଗ୍ଦାଦ୍ରେ ଥିବା ‘ଇବନ୍ ଅଲ୍-ଖାତିବ୍ ହସ୍ପିଟାଲ୍’ର ‘କରୋନାଭାଇରସ୍ ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍’ରେ ନିଆଁ ଲାଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ୮୨ ଛୁଇଁଛି। ୧୧୦ ଜଣ ଆହତ ହୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ବୋଲି ସୂତ୍ରରୁ ଜାଣିବାକୁ ମିଳିଛି।
ମେଡିକାଲ୍ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ‘ଅକ୍ସିଜେନ୍ ସିଲିଣ୍ଡର୍ ଗଚ୍ଛିତ ରଖିବାରେ ତ୍ରୁଟି ଯୋଗୁଁ ବିସ୍ଫୋରଣ ଘଟି ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା।
ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ‘ଇବନ୍ ଅଲ୍-ଖାତିବ୍ ହସ୍ପିଟାଲ୍’ର ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍ରେ ଥିବା ୩୦ଜଣ ରୋଗୀଙ୍କ ଶଯ୍ୟା ପାଖରେ ସେମାନଙ୍କର ଆତ୍ମୀୟସ୍ବଜନମାନେ ଉପସ୍ଥିତ ଥିଲେ। ମଧ୍ୟରାତ୍ର ବେଳକୁ ହସ୍ପିଟାଲ୍ର ବିଭିନ୍ନ ମହଲାରେ ଅଗ୍ନିଶିଖା ବ୍ୟାପିଯାଇଥିଲା।
ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଚାଲିଥିବା ଭିଡିଓରେ ଦେଖାଯାଉଛି, ଇରାକୀ ରାଜଧାନୀର ଦକ୍ଷିଣପୂର୍ବ ଉପକଣ୍ଠରେ ଥିବା ଏହି ଡାକ୍ତରଖାନାରୁ ନିଆଁ ଲିଭାଇବା ନିମନ୍ତେ ଦମକଳ ବାହିନୀ ଉଦ୍ୟମ କରୁଥିବା ବେଳେ ରୋଗୀ ଏବଂ ସେମାନଙ୍କ ଆତ୍ମୀୟମାନେ ଡାକ୍ତରଖାନାରୁ ଧାଇଁ ପଳାଉଛନ୍ତି।
ଅବହେଳା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା କଥା ବିଭିନ୍ନ ସୂତ୍ରରୁ ଜଣାପଡ଼ିବା ପରେ ସାମାଜିକ ଗଣମାଧ୍ୟମରେ ଇରାକ୍ବାସୀମାନେ କ୍ରୋଧ ବ୍ୟକ୍ତ କରିଛନ୍ତି।
ଘଟଣାର ତଦନ୍ତ କରି କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ପ୍ରତି ଦଣ୍ଡବିଧାନ କରିବା ଲାଗି ଏକ ତଦନ୍ତ କମିସନ୍ ବସାଇବାକୁ ବାଗ୍ଦାଦ୍ର ରାଜ୍ୟପାଳ ମହମଦ୍ ଜବର୍ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Untitled-66.jpg)
